ସମ୍ପାଦକଙ୍କ କଲମରୁ… ✍️
ସାମ୍ବାଦିକତା ବନ୍ଧା ପଡିଛି….. ବିଭିନ୍ନ ସ୍ମାରକୀ ଦିବସ ଭଳି ଜାତୀୟ ଗଣମାଧ୍ୟମ ଦିବସ ମହା ଆଡମ୍ବର ରେ ପାଳିତ ହୋଇଛି। ପୂର୍ବ ବର୍ଷ ବି ଆଜିର ଦିନରେ ସାମ୍ବାଦିକ ମାନେ ସମ୍ପୃକ୍ତ ଅଂଚଳର ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗୀତାରେ ପାଳନ କରିଥିଲେ, କିନ୍ତୁ ସଂଖ୍ୟା ସୀମିତ ଥିଲା। ଅଥଚ ଚଳିତ ବର୍ଷ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର କୋଣେ ଅନୁକୋଣେ ଏହି ଦିବସ ପାଳିତ ହୋଇଛି। ଏହା ନିଶ୍ଚିତ ରୂପେ ଗଣମାଧ୍ୟମର ଶକ୍ତି ପ୍ରଦର୍ଶନ କହିଲେ ଅତ୍ୟକ୍ତି ହେବ ନାହିଁ। ସେ ଯାହା ହେଉ ଏଭଳି କାର୍ଯ୍ୟକ୍ରମ ଗଣମାଧ୍ୟମ ପାଇଁ ଶୁଭଙ୍କର।ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ନାନାବିଧ ସମସ୍ୟାର ସମ୍ମୁଖୀନ। ବିଭିନ୍ନ ସମୟରେ ଗଣମାଧ୍ୟମ ଭିନ ଭିନ ଗୋଷ୍ଟିର ଆକ୍ରୋଶର ଶିକାର। ଅଥଚ ଅନ୍ୟ ରାଜ୍ୟରେ ଉପଲବ୍ଧ ସାମ୍ବାଦିକ ସୁରକ୍ଷା ଆଇନ ଓଡିଶା ରେ କାର୍ଯ୍ୟକାରୀ ହୋଇପାରିନି। ସେହିପରି ବୀମା, ଯାତାୟାତରେ ରିହାତି, ଅବସର କାଳୀନ ଭତ୍ତା, ଚିକିତ୍ସା
ସୁବିଧା ପ୍ରମୁଖରୁ ରାଜ୍ୟ ସାମ୍ବାଦିକ ବଞ୍ଚିତ। ତା ମାନେ ନୁହେଁଯେ ଏହି ଆବଶ୍ୟକତା ପାଇଁ ଦାବି ହୋଇନି। ବରଂ ଗତ ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲା ଗଣମାଧ୍ୟମର ବିଭିନ୍ନ ସଂଗଠନ ପକ୍ଷରୁ ଅହରହ ଉଦ୍ୟମ ଚାଲିଛି ତଥା କିଛି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆଉ ଯାତାୟାତରେ ରିହାତିର ସୁଯୋଗ ପାଇଛନ୍ତି।
କିନ୍ତୁ ସଂଖ୍ୟାଧିକ ଏହି ସେବା ବା ସୁଯୋଗରୁ ବଂଚିତ। ଏହାର ମୁଖ୍ୟ କାରଣ ସାମ୍ବାଦିକ ସ୍ତରରେ ବର୍ଗିକରଣ। ପୂର୍ବରୁ ସାମ୍ବାଦିକତା ଜନସେବା ଥିଲା ତାହା ଅଧୁନା ବୃତ୍ତି ରେ ପରିଣତ। ବହୁ ଯୁବକଯୁବତୀ ଏହି ପେଶା ପାଇଁ ଆଗ୍ରହୀ, ତଥା ସାମ୍ବାଦିକତା ଶିକ୍ଷା ଗ୍ରହଣ ପାଇଁ ଯଥେଷ୍ଟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି।
ଅବଶ୍ୟ ସେଠାରେ ଶିକ୍ଷାଦାନର ମାନ ତଥା ଶିକ୍ଷାର୍ଥୀଙ୍କ ଆଗ୍ରହ ଆଶାନୁଯାଇ ହୋଇପାରୁନାହିଁ। ଅନ୍ୟପକ୍ଷରେ ମାରୁ ମାରୁ ମହାପାତ୍ର ନୀତିରେ ସାମ୍ବାଦିକ ପ୍ରସ୍ତୁତ।ଅବଶ୍ୟ ଏଭଳି ସାମ୍ବାଦିକ ଙ୍କ ସଂଖ୍ୟା ସୋସିଆଲ ମିଡ଼ିଆ ରେ ଅଧିକ। ଅଧୁନା ସମ୍ବାଦ ପରିବେଷଣରେ ଆଗୁଆ ରହିବା ପାଇଁ ପ୍ରତିଯୋଗିତା ଚାଲିଛି, ଫଳତଃ ଘଟଣାର ସତ୍ୟାସତ୍ୟ ବୁଝିବା ପରିବର୍ତ୍ତେ ଆଖିବୁଜା ଖବର ପୋଷ୍ଟ କରାଯାଉଛି, କିନ୍ତୁ ପ୍ରତିବାଦ ବା ପ୍ରତିକାର ନାହିଁ।ଫଳତଃ ସାଧାରଣରେ ଏଭଳି ତରବରିଆ ଖବର ଗ୍ରହଣୀୟ ହୋଇପାରୁନି। ସାମ୍ବାଦିକତାର ମୂଳମନ୍ତ୍ର ହେଲା ଜନସାଧାରଣଙ୍କ ସମସ୍ୟା କୁ ସରକାର ପାଖରେ ଉପସ୍ଥାପନା ଓ ସମାଧାନରେ ସହାୟତା। ସେଥିପାଇଁ ବିଭିନ୍ନ ବିଭାଗରେ ଲୋକ ସମ୍ପର୍କ ରହିଛି ଏବଂ ନିୟମାନୁଯାୟୀ ସମ୍ପୃକ୍ତ ଅଧିକାରୀ ମାନେ ନିଜ ଅଂଚଳର ପ୍ରକାଶିତ ଖବରକୁ ନିଜ ଅଧିକାରୀଙ୍କୁ ଅବଗତ କରାଇ ସମାଧାନ କରିବା କଥା। କିନ୍ତୁ ସେଭଳି କାର୍ଯ୍ୟକ୍ରମ ଆଉ ହେଉନାହିଁ।ଫଳତଃ ସମସ୍ୟା ସବୁ ସମାଧିତ ହୋଇପାରୁନି।
ଏପରିକି ପୂର୍ବରୁ ସରକାରୀ ଯୋଜନାର ପ୍ରଚାର ପ୍ରସାରରେ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଉଥିଲେ, କିନ୍ତୁ ପ୍ରଶାସନ ସମେତ ବିଭିନ୍ନ ବିଭାଗ ଅଧୁନା ଏକ୍ସ ବା ଫେସବୂକ ର ସହାୟତା ନେଉଛନ୍ତି, ଏବଂ ତଥ୍ୟ ଗୁଡିକ ଅସମ୍ପୂର୍ଣ ରହୁଛି। କିନ୍ତୁ ସେଥିପ୍ରତି କାହାରି ଦୃଷ୍ଟି ନାହିଁ। କେବଳ ନିଜ ଦାଇତ୍ୱ ସରାଇବା ନୀତି ଆପଣଯାଉଛି।ଏଭଳି ପରିସ୍ଥିତି ରେ ସାମ୍ବାଦିକର ଭୂମିକା ଅତ୍ୟନ୍ତ ଗୌଣ୍ୟ ଯେ ହେଉଛି ତାହା ବାରମ୍ବାର ପ୍ରମାଣିତ। ପୂର୍ବରୁ ଜିଲ୍ଲା ବା ବ୍ଲକ ସ୍ତରରେ ସମ୍ପୃକ୍ତ ଅଂଚଳର ଅଧିକାରୀ ମାନେ ନିଜ ବିଭାଗୀୟ ତଥ୍ୟ ସାମ୍ବାଦିକ କୁ ଦେଉଥିଲେ ଏବଂ ସାମ୍ବାଦିକ ମାନେ ସେଥିରେ ଆବଶ୍ୟକ ତଥ୍ୟ ଯୋଡି ଖବର ପରିବେଷଣ କରୁଥିଲେ। କିନ୍ତୁ ସେ ବ୍ୟବସ୍ତା ବର୍ତମାନ ବିଭିନ୍ନ ମନ୍ତ୍ରାଳୟ ଦ୍ୱାରା ପରିବେଷିତ ତଥା ଗଣମାଧ୍ୟମର ଅଧିକାରୀ ମାନେ ସେହି ପରିବେଷିତ ତଥ୍ୟକୁ ହିଁ ସ୍ଥାନ ଦେଇଥାନ୍ତି। ଯଦିଓ ଏହା ସାମ୍ୱାଦିକର ଅସହାୟତା ପ୍ରମାଣିତ କରେ ତଥା ଜନସାଧାରଣ ପ୍ରକୃତ ତଥ୍ୟରୁ ବଂଚିତ ହେଉଛନ୍ତି। ପୂର୍ବରୁ ସମୟ ଅସମୟରେ ସରକାରଙ୍କ ପକ୍ଷରୁ ଘୋଷିତ ରୂପେ କାଣ୍ଟଛାଣ୍ଟ କରାଯାଉଥିଲା ତାହା ଅଘୋଷିତ ରୂପେ ଚାଲିଛି।ଏହାର ପ୍ରତିବାଦ ସାମ୍ବାଦିକ ବାପୁଡ଼ା କରିବା ଅସମ୍ଭବ। ଏଭଳି ପରିସ୍ଥିତି କୁ ତର୍ଜମା କଲେ ସାମ୍ବାଦିକତା ବନ୍ଧା ପଡିଛି ନା ନୁହେଁ ତାହାର ବିଚାର ଜନସାଧାରଣ କରିବା ଦରକାର…

Leave a Reply