ଶିକ୍ଷା ବ୍ୟବସ୍ଥାର, ବିକଳ ଚିତ୍ର…ଚାଳ-ଛପର ଘରେ ଚାଲିଛି ସ୍କୁଲ ।

Spread the love

ଭଂଜନଗର,୨୮।୧୧, ରବିନ୍ଦ୍ର ପ୍ରଧାନ, ଚେତନା ମିଡ଼ିଆ: – ଜଗନ୍ନାଥପ୍ରସାଦ ବ୍ଳକର ଗାୟାଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଲ୍ଲୀ ଗାଁରେ ରହିଥିବା, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରାଥମିକ ଶିକ୍ଷା ଚାଲିଛି, ଚାଳ-ଛପର ଘରେ । ଅସଜଡା ଅବସ୍ଥାରେ ରହିଛି ପ୍ରଥମ ରୁ ପଞ୍ଚମ ଶ୍ରେଣୀର ପାଠପଢ଼ା । ଚାଳ ରୁ ଛପର ଉଡ଼ି ଯାଇଛି । ଦିନରେ ସୂର୍ଯ୍ୟ ରତିରେ ଚନ୍ଦ୍ର କିରଣ ଖିଲି ଖିଲି ପ୍ରେମ ଅଜାଡି ଦେଉଛନ୍ତି। ଖରାଦିନେ ଖରା ପଡୁଛି, ବର୍ଷା ହେଲେ ପାଣି ଗଳୁଛି । ଚାରିପଟେ କାନ୍ଥ କହିଲେ ବାଉଁଶ ତାଟି ବାଦ। ବେଳେ ବେଳେ ସାପ ଭଳି ଶରୀସୃପ ଶ୍ରେଣୀ କକ୍ଷକୁ ପଶି ଆସୁଛନ୍ତି । ଗତ କିଛି ବର୍ଷ ହେଲା, ଏଭଳି ଅବ୍ୟବସ୍ଥା ଭିତରେ ପ୍ରାୟ ୫୦ ପିଲା ପାଠ ପଢୁଛନ୍ତି । ଉପାନ୍ତ ଅଞ୍ଚଳର କୁହାଯାଉଥିବା ଏହି ଗାଁରେ ସ୍ଥାନୀୟ ପିଲାଙ୍କ ଶିକ୍ଷାକୁ ଦୃଷ୍ଟିରେ ରଖି, ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିଲା ପ୍ରାଥମିକ ବିଦ୍ୟାଳୟ । ପରେ ପରେ ମଧ୍ୟ ଇଂରାଜୀ ଏବଂ ଶେଷରେ ୨୦୨୩ ମସିହାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହେଲା । ରହିଥିବା ପୁରୁଣା କୋଠା ଟି ବିପଦ ସଙ୍କୁଳ ଥିବାରୁ, ଗାଁ ଲୋକେ ଗୋଟିଏ ଚାଳ-ଛପର ଘର ତିଆରି କଲେ । ଯାହା ପୂର୍ବରୁ ମଧ୍ୟ ରହିଥିଲା । ସେଠାରେ ପ୍ରଥମରୁ ୫ ମ ଯାଏଁ, ପିଲା ପାଠ ପଢ଼ିଲେ । ପରବର୍ତ୍ତୀ ସମୟରେ କୋଠାଘର ନିର୍ମାଣ ହେବାରୁ, ଦୁଇଟି କୋଠରୀରେ ଷଷ୍ଠ ରୁ ୧୦ମ ଶ୍ରେଣୀ ପିଲା ପାଠ ପଢ଼ିଲେ । ସ୍ଥାନ ଅଭାବ ଯୋଗୁଁ, ପିଲାମାନଙ୍କୁ ବାରଣ୍ଡାରେ ବସି ପଢ଼ାଇବାକୁ ହେଉଛି । ୧୦ ଟି ଶ୍ରେଣୀର ୧୪୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୬ ଜଣ ଶିକ୍ଷକ,ଦୁଇଟି କୋଠରୀ । ଗୋଟିଏ ଚାଳ ଛପର ଏବଂ ଅନ୍ୟଟି କୋଠା ଘର । ଚାଳ ଛପର ଘରେ ୨ ଟି ବଖରା ରେ ୫ ଟି ଶ୍ରେଣୀ ଏବଂ କୋଠାଘରେ ଦୁଇଟି କୋଠରୀ ସାଙ୍ଗକୁ ବାରଣ୍ଡାରେ ଚାଲିଛି ୫ ଟି ଶ୍ରେଣୀ । ପାଇଖାନା, ରୋଷେଇ ଘର, ଖେଳ ପଡିଆ ଏବଂ ପାଚେରୀ ନାହିଁ । ପିଇବା ପାଣି ପାଇଁ ଗୋଟିଏ ନଳକୂଅ ଏବଂ ପାଚେରୀ କହିଲେ, ତାର-ବାଡ ହିଁ ଏକମାତ୍ର ଭରଷା । ସ୍ବାଧୀନତାର ଦୀର୍ଘବର୍ଷ ପରେ ଗୋଟିଏ ସରକାରୀ ବିଦ୍ୟାଳୟର ଏଭଳି ଅବସ୍ଥା, ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଶିକ୍ଷା କମିଟି, ବିଡ଼ିଓଙ୍କୁ ଅବଗତ କରାଇଛନ୍ତି । ହେଲେ ଏହି ବିଦ୍ୟାଳୟର ଅବ୍ୟବସ୍ଥା ପ୍ରତି କାହାର ଦୃଷ୍ଟି ପଡ଼ିନାହିଁ । ଏହି ଖବର ଜାଣିବା ପରେ ଭଂଜନଗର ଉପଜିଲ୍ଲାପାଳ, ବିଭାଗୀୟ ଅଧିକାରୀଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ, ଅବଗତ କରାଇଛନ୍ତି । ଏବେ ଅପେକ୍ଷା ଏହି ବିଦ୍ୟାଳୟରେ ରହିଥିବା ସମସ୍ୟା କେବେ ସମାଧାନ ହେଉଛି ଆଗାମୀ ସମୟ କହିବ ।

Leave a Reply

Your email address will not be published. Required fields are marked *