ସମ୍ପାଦକଙ୍କ କଲମରୁ… ✍️

Spread the love

ସମ୍ପାଦକଙ୍କ କଲମରୁ… ✍️

     ସମସ୍ତ କଳ୍ପନା ଜଳ୍ପନା ତଥା ବିରୋଧୀ ଦଳଙ୍କ ବାରମ୍ବାର ସମାଲୋଚନା ସତ୍ୱେ ଦେଶର ଜିଡିପି ହାର କ୍ରମଶଃ ବୃଦ୍ଧି ପାଉଛି। ଡଲ୍ଲାର ତୁଳନାରେ ଭାରାତୀୟ ମୁଦ୍ରାର ଅବନତି ଘଟିଛି, କିନ୍ତୁ ଜିଡିପିର ଅଭିବୃଦ୍ଧି ନିଶ୍ଚିତ ରୂପେ ଦେଶର ଅର୍ଥନୀତି ଯେ ସୁଦୃଢ ତାହା ପ୍ରମାଣିତ।୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବବୋଲି ଆକଳନ କରିଛି । ପୂର୍ବ ବର୍ଷ (୨୦୨୪-୨୫)ର  ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । କେନ୍ଦ୍ର ପରିସଂଖ୍ୟନ ଏବଂ କାର୍ଯ୍ୟକ୍ରମ ରୁପାୟନ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ୨୦୨୫-୨୬ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ (Q2) ପାଇଁ ମୋଟ ଘରୋଇ ଉତ୍ପାଦ (GDP)ର ତ୍ରୈମାସିକ ଆକଳନ ପ୍ରକାଶ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ସେପ୍ଟମ୍ବର ୬ ମାସରେ ବାସ୍ତବିକ ଜିଡିପି ୯୬.୫୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଆଶା କରାଯାଉଛି । ୨୦୨୪-୨୫ଆର୍ଥିକ ବର୍ଷର ଏହି ସମୟରେ ବାସ୍ତବିକ ଜିଡିପି ଅଭିବୃଦ୍ଧି ୮୯.୩୫ ଲକ୍ଷ କୋଟି ଥିଲା । ଫଳରେ ଏହି ୬ ମାସରେ ଦେଶର ଡିଜିପି ଆଭିବୃଦ୍ଧି ୮ ପ୍ରତିଶତ ରହିଛି । ୩ୟ ତ୍ରୈମାସ ଅର୍ଥାତ୍ ଅକ୍ଟୋବର-ଡିସେମ୍ବରେ ଭାରତର ଜିଡିପି ଅଭିବୃଦ୍ଧି ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ସରକାରଙ୍କ ଜିଏସଟି ସଂସ୍କାରର ପ୍ରଭାବ ଏହି ତ୍ରୈମାସରୁ ହିଁ ପଡିବା ଆରମ୍ଭ କରିଥିଲା । ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି କମିବା ଫଳରେ ସେଗୁଡ଼ିକ ଶସ୍ତା ହୋଇଛି, ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିଛି । ତେବେ ଏହି ତ୍ରୈମାସର ତଥ୍ୟ ଆସିବା ପରେ ଜଣାପଡ଼ିବ ଦେଶର ପ୍ରକୃତ ଅଭିବୃଦ୍ଧି କେତେ ରହିଛି । ଅବଶ୍ୟ ଏଥିପାଇଁ ଆସନ୍ତା ଫେବ୍ରୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।ଅନ୍ୟପକ୍ଷରେ ଅଦ୍ୟାବଧି ବିରୋଧୀ ଦଳ ସେମାନଙ୍କ ସମାଲୋଚନା ଅବ୍ୟାହତ ରଖିଥିବାବେଳେ କିଛି ଅସାଧୁ ବ୍ୟବସାୟୀ ନିଜର ଲାଭଖୋର ମନୋବୃତିକୁ ପରିହାର କରିପାରୁନାହାନ୍ତି। ଫଳତଃ ସାଧାରଣ ଜନତା କ୍ଷତିଗ୍ରସ୍ତ ହେଉଛନ୍ତି ତଥା ସରକାରୀ ରାଜସ୍ବ ରେ ହାନି ଘଟୁଛି। ସେ ଯେ କୌଣସି ଦଳ ଶାସନରେ ଥାଉ, ଦେଶର ଅର୍ଥନୀତିରେ ବୁଝାମଣା ରହିଲେ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିଥାଏ। ଆଉ ଯେଉଁ ସରକାର ନିଜ ଦାଇତ୍ୱ ସୁଚାରୁ ରୂପେ ପାଳନ କରିଥାନ୍ତି ସେମାନେ ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ସ୍ଥାନିତ। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ସମାଲୋଚନାରୁ ଓହରି ବିକାଶ ମୂଳକ କାର୍ଯ୍ୟରେ ସହଯୋଗ କରିବା ବିଧେୟ। କିନ୍ତୁ ଅସାଧୁ ବ୍ୟବସାୟୀ ଯଦି ଚେତୁ ନାହାନ୍ତି, ସେମାନଙ୍କ ପାଇଁ ସରକାରୀ ଚାବୁକ ଅପରିହାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *