ଗୋଷ୍ଠୀ ଉଠାଜଳସେଚନ ଯୋଜନା, ଫାଇଲ୍‌ରେ ବହୁଛି ପାଣି, ଚାଷୀଙ୍କ କ୍ଷେତକୁ କେବେ ?୧୫ ଦିନ ମହାଲତ, ନଚେତ ଆନ୍ଦୋଳନ ଚେତାବନୀ…

ଚିକିଟି, ଚେତନା ମିଡ଼ିଆ : ବର୍ଷାର ଅନିଶ୍ଚିତତା ମଧ୍ୟରେ ଚାଷୀଙ୍କ ପାଇଁ ଆଶାର କିରଣ ହୋଇ ଆସିଥିଲା ଗୋଷ୍ଠୀ ଉଠାଜଳସେଚନ ଯୋଜନା। ୫୦ ଓ ୧୦୦ ଏକର ଆୟାକଟ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଚାଷୀଙ୍କ ଚାଷକୁ ସୁରକ୍ଷିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ହେଲେ ଯୋଜନାର ପାଣି ଚାଷୀଙ୍କ କ୍ଷେତରେ ପହଞ୍ଚିବା ପୂର୍ବରୁ ସରକାରୀ ଫାଇଲ୍‌ରେ ହିଁ ଅଟକି ରହିଥିବା ଅଭିଯୋଗ ହୋଇଛି। ଆବେଦନର ବର୍ଷେ ପରେ ବି ଅନେକ ପ୍ରକଳ୍ପର ବ୍ୟବହାରିକତା ରିପୋର୍ଟ ପ୍ରସ୍ତୁତ ହୋଇନଥିବାରୁ ହଜାର ହଜାର ଚାଷୀଙ୍କ ଜଳସେଚନ ଆଶା ଏବେ ଅନିଶ୍ଚିତତାରେ।

୨୦୨୫ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୩ ହଜାର ଚାଷୀ ଗୋଷ୍ଠୀ ଉଠାଜଳସେଚନ ପାଇଁ ଅନଲାଇନ୍‌ରେ ଆବେଦନ କରିଥିଲେ। ନିୟମ ଅନୁଯାୟୀ ଆବେଦନ ହେବାର ଏକ ମାସ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଏହାର ବ୍ୟବହାରିକତା ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବା କଥା। କିନ୍ତୁ ଅଭିଯୋଗ ହେଉଛି, ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ପ୍ରକଳ୍ପର ବ୍ୟବହାରିକତା ରିପୋର୍ଟ ସରକାରଙ୍କ ପାଖକୁ ପହଞ୍ଚିପାରିନାହିଁ। ଫଳରେ ଯୋଜନାର ପ୍ରଥମ ପର୍ଯ୍ୟାୟରେ ହିଁ ସମଗ୍ର ପ୍ରକ୍ରିୟା ଅଟକି ରହିଛି।

ନିୟମ ଅନୁଯାୟୀ, ଯେଉଁ ପ୍ରକଳ୍ପ ବ୍ୟବହାରିକ ବୋଲି ବିବେଚିତ ହେବ, ସେଗୁଡ଼ିକର ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ ବା ଡିପିଆର୍‌ ପ୍ରସ୍ତୁତ ହେବ। ପରେ ଏହାକୁ ସରକାରଙ୍କ ମାଧ୍ୟମରେ ନାବାର୍ଡକୁ ପଠାଯିବ। ସେଠାରୁ ମଞ୍ଜୁରି ମିଳିବା ପରେ ଅର୍ଥ ବରାଦ୍ଦ ହେବ। ଅର୍ଥ ଆସିବା ପରେ ବିଭାଗୀୟ କାର୍ଯ୍ୟାଳୟ ଇ-ଟେଣ୍ଡର ଆହ୍ୱାନ କରି ଯୋଗ୍ୟ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବ। ଏହାପରେ ଯାଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅର୍ଥାତ୍‌ ଚାଷୀଙ୍କ କ୍ଷେତରେ ପାଣି ପହଞ୍ଚିବା ପୂର୍ବରୁ ଅନେକ ପ୍ରଶାସନିକ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡ଼ିବ।

ଏଠି ପ୍ରଶ୍ନ ଉଠୁଛି, ଯେତେବେଳେ ପ୍ରଥମ ପର୍ଯ୍ୟାୟର ବ୍ୟବହାରିକତା ରିପୋର୍ଟ ହିଁ ଅଟକି ରହିଛି, ସେଠାରେ ଡିପିଆର୍‌, ନାବାର୍ଡ ମଞ୍ଜୁରି, ଅର୍ଥ ବରାଦ୍ଦ, ଇ-ଟେଣ୍ଡର ଓ କାର୍ଯ୍ୟାଦେଶ କେବେ ହେବ? ଆଉ ଚାଷୀଙ୍କ କ୍ଷେତକୁ ପାଣି କେବେ ପହଞ୍ଚିବ? ଆବେଦନ କରିବା ପରେ ନିଜ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳୁନଥିବା ନେଇ ଅନେକ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏପଟେ ଚଳିତ ବର୍ଷ ବର୍ଷାର ଅନିୟମିତତା ଓ ଅଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏଭଳି ସମୟରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇବା ଅତ୍ୟନ୍ତ ଜରୁରୀ। କିନ୍ତୁ ଉଠାଜଳସେଚନ ପରି ଗୁରୁତ୍ୱପୂର୍ଣ୍ଣ ଯୋଜନାର ପ୍ରାଥମିକ ପ୍ରକ୍ରିୟା ଯଦି ମାସ ମାସ ଧରି ଅଟକି ରହେ, ତେବେ ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବା ସ୍ୱାଭାବିକ।

ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଯୋଜନା ଘୋଷଣା ଓ ଆବେଦନ ଗ୍ରହଣରେ ଯେତିକି ତତ୍ପରତା ଦେଖାଯାଉଛି, ତାହାର ପରବର୍ତ୍ତୀ ପ୍ରଶାସନିକ ପ୍ରକ୍ରିୟାରେ ସେତିକି ଗତି ନାହିଁ। ଦାୟିତ୍ୱରେ ଥିବା ଯନ୍ତ୍ରୀମାନେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ ନକରିବା ଯୋଗୁଁ ଯୋଜନା ଆଗକୁ ବଢ଼ୁନଥିବା ଅଭିଯୋଗ ହୋଇଛି। ଏହାର ଜବାବଦେହି କିଏ ନେବ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଚିକିଟିରୁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟକୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଘଟଣା ମଧ୍ୟ ଚାଷୀଙ୍କ ଅସନ୍ତୋଷକୁ ବଢ଼ାଇଛି। ଦୀର୍ଘ ଦଶନ୍ଧି ଧରି ଚିକିଟିରେ ଭଡ଼ାଘରେ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଚାଲୁଥିଲା। କିନ୍ତୁ ପ୍ରାୟ ଦେଢ଼ ବର୍ଷ ହେଲା ଏହି କାର୍ଯ୍ୟାଳୟକୁ ଚିକିଟିରୁ ଉଠାଇ ବ୍ରହ୍ମପୁରକୁ ନିଆଯାଇଥିବା ଅଭିଯୋଗ ହୋଇଛି। ଏହା ଫଳରେ ଚିକିଟି ଅଞ୍ଚଳର ଚାଷୀମାନେ ନିଜ ଅଭିଯୋଗ ଓ ସମସ୍ୟା ନେଇ ସ୍ଥାନୀୟ କାର୍ଯ୍ୟାଳୟରେ ସିଧାସଳଖ ପହଞ୍ଚିବାରୁ ବଞ୍ଚିତ ହେଉଛନ୍ତି।

ଏପରିକି ଦୀର୍ଘ ଦୁଇ ବର୍ଷ ଧରି ଚିକିଟି ଅଞ୍ଚଳରେ କିଏ କନିଷ୍ଠ ଯନ୍ତ୍ରୀ ଭାବେ ଦାୟିତ୍ୱରେ ଅଛନ୍ତି, ତାଙ୍କୁ ନେଇ ମଧ୍ୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ପ୍ରଶ୍ନ ରହିଛି। ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତି ଓ କାର୍ଯ୍ୟକଳାପ ନେଇ ଚାଷୀମାନେ ସ୍ପଷ୍ଟ ଭାବେ ଜାଣିପାରୁନଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ଚାଷୀଙ୍କ ସମସ୍ୟା ଶୁଣିବା ଓ ପ୍ରକଳ୍ପର ତଦାରଖ କରିବା ପାଇଁ ସ୍ଥାନୀୟ ସ୍ତରରେ ବିଭାଗୀୟ ବ୍ୟବସ୍ଥା କେତେ ସକ୍ରିୟ, ତାହା ନେଇ ପ୍ରଶ୍ନ ଉଠିଛି।

ଚିକିଟିର ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରିଛନ୍ତି। ଚିକିଟିରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଉଠାଜଳସେଚନ କାର୍ଯ୍ୟାଳୟକୁ କାହା ସ୍ୱାର୍ଥରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ସ୍ପଷ୍ଟ ସରକାରୀ ନିର୍ଦ୍ଦେଶନାମା ନଥାଇ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରି ସେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୧୫ ଦିନ ମଧ୍ୟରେ ଚିକିଟିରେ ପୁଣି ଉଠାଜଳସେଚନ କାର୍ଯ୍ୟାଳୟ ଖୋଲିବାକୁ ଶ୍ରୀରୂପ ଦେବ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଚିକିଟି ନିର୍ବାଚନମଣ୍ଡଳୀର ସମସ୍ତ ଚାଷୀଙ୍କୁ ସାଙ୍ଗରେ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଚାଷୀଙ୍କ କହିବା କଥା, ସରକାର ଯଦି ପ୍ରକୃତରେ କୃଷିକୁ ପ୍ରାଥମିକତା ଦେଉଛନ୍ତି, ତେବେ କେବଳ ଯୋଜନା ଘୋଷଣା କିମ୍ବା ଆବେଦନ ଗ୍ରହଣ କଲେ ହେବ ନାହିଁ। ଆବେଦନଠାରୁ ପ୍ରକଳ୍ପ ନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରିବା ଆବଶ୍ୟକ। ନିର୍ଦ୍ଧାରିତ ସମୟରେ କାମ ନହେଲେ ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ଜବାବଦେହିତା ମଧ୍ୟ ସୁନିଶ୍ଚିତ ହେବା ଦରକାର।

ଏବେ ଚାଷୀଙ୍କ ନଜର ପ୍ରଶାସନ ଉପରେ। ହଜାର ହଜାର ଚାଷୀ ଆବେଦନ କରି ଅପେକ୍ଷାରେ ଥିବାବେଳେ ବ୍ୟବହାରିକତା ରିପୋର୍ଟ କେବେ ପ୍ରସ୍ତୁତ ହେବ, ଡିପିଆର୍‌ କେବେ ହେବ, ଅର୍ଥ କେବେ ଆସିବ ଏବଂ ଚାଷୀଙ୍କ କ୍ଷେତରେ ଜଳସେଚନ ସୁବିଧା କେବେ ପହଞ୍ଚିବ—ତାହା ହିଁ ବଡ଼ ପ୍ରଶ୍ନ ହୋଇ ରହିଛି। ଫାଇଲ୍‌ରେ ଯୋଜନାର ପ୍ରଗତି ଦେଖାଇଲେ ଚାଷୀଙ୍କ ଜମି ସବୁଜ ହେବ ନାହିଁ। କ୍ଷେତରେ ପାଣି ପହଞ୍ଚିଲେ ହିଁ ଯୋଜନାର ସଫଳତା ପ୍ରମାଣିତ ହେବ। ନଚେତ୍‌ ‘ଗୋଷ୍ଠୀ ଉଠାଜଳସେଚନ ଯୋଜନା’ ଚାଷୀଙ୍କ କ୍ଷେତରେ ଜଳଧାରା ନୁହେଁ, ସରକାରୀ ଫାଇଲ୍‌ରେ ଅଟକିଥିବା ଆଉ ଏକ ଯୋଜନାର ନାମ ହୋଇ ରହିଯିବ।

Leave a Reply

Your email address will not be published. Required fields are marked *