ବୈଧ ବୀମା ନଥିବା ଗାଡ଼ି ବିରୋଧରେ କଠୋର ହେବ ପରିବହନ ବିଭାଗ,ଟୋଲଗେଟ୍‌ରେ ଇ-ଡିଟେକ୍ସନ୍‌ରେ ଯାଞ୍ଚ; ବାରମ୍ବାର ନିୟମ ଉଲ୍ଲଂଘନ କଲେ ପଞ୍ଜିକରଣ ରଦ୍ଦ ସହ ଗାଡ଼ି ଜବତ…

ଭୁବନେଶ୍ୱର/କଟକ, ଚେତନା ମିଡ଼ିଆ : ରାଜ୍ୟରେ ବୈଧ ବୀମା ବିନା ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନକୁ ନେଇ ବାଣିଜ୍ୟ ଓ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଜ୍ୟର ସମସ୍ତ ଟୋଲଗେଟ୍‌ ଦେଇ ଯାତାୟାତ କରୁଥିବା ଯାନବାହନର ବୀମା, ଫିଟନେସ୍‌ ଓ ପ୍ରଦୂଷଣ ପ୍ରମାଣପତ୍ର ସମେତ ଆବଶ୍ୟକୀୟ କାଗଜପତ୍ର ଇ-ଡିଟେକ୍ସନ୍‌ ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଯାଞ୍ଚ କରାଯିବ।

ରାଜ୍ୟରେ ଚଳାଚଳ କରୁଥିବା ବହୁ ଯାନର ବୈଧ ବୀମା ନଥିବା ଘଟଣାକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୋଟର ଯାନ ଆଇନ ଓ ନିୟମାବଳୀର ସଂପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଭାବେ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇ-ଡିଟେକ୍ସନ୍‌ ବ୍ୟବସ୍ଥାରେ କୌଣସି ଯାନର ଆବଶ୍ୟକୀୟ କାଗଜପତ୍ର ବୈଧ ନଥିଲେ ତୁରନ୍ତ ଇ-ଚାଲାଣ ଜାରି କରାଯିବ। ଏହାସହ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ। ଆବଶ୍ୟକ ସ୍ଥଳେ ଯାନର ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ କରାଯିବା ସହ ଯାନକୁ ଜବତ କରାଯିବ।

ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧,୦୧,୪୧,୯୫୧ଟି ଯାନବାହନ ମଧ୍ୟରୁ ମାତ୍ର ୩୫,୬୮,୩୧୮ଟି ଯାନର ବୈଧ ବୀମା ରହିଛି। ଅନ୍ୟପକ୍ଷରେ ୬୫,୭୩,୬୩୩ଟି ଯାନର ବୀମା ବୈଧ ନଥିବା ଜଣାପଡ଼ିଛି। ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଯାଞ୍ଚ ଓ ଆଇନ ପ୍ରୟୋଗକୁ ଆହୁରି ଜୋରଦାର କରାଯିବ।

ସଡ଼କ ଦୁର୍ଘଟଣା ଘଟିଲେ ଆହତ କିମ୍ବା ପୀଡ଼ିତଙ୍କୁ ଆଇନ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ମିଳିବାରେ ବୈଧ ଯାନବୀମାର ଗୁରୁତ୍ୱ ରହିଛି। ତେଣୁ ବୀମା ବିନା ଯାନ ଚଳାଇବା କେବଳ ଯାନମାଲିକଙ୍କ ପାଇଁ ନୁହେଁ, ସଡ଼କରେ ଚଳାଚଳ କରୁଥିବା ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଝୁମ୍ପ ସୃଷ୍ଟି କରିପାରେ।

ଯାନବୀମାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବୈଧ ବୀମା ନଥିବା ଯାନକୁ ଇନ୍ଧନ ଯୋଗାଣ ସମ୍ପର୍କରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା ହୋଇଛି। ଏହାକୁ ପାଇଲଟ୍‌ ପ୍ରକଳ୍ପ ଭାବେ ଆରମ୍ଭ କରିବା ନେଇ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ କୁହାଯାଇଛି।

ଏପରିସ୍ଥଳେ ସମସ୍ତ ଯାନମାଲିକ ଆଇନଗତ ଜଟିଳତାରୁ ରକ୍ଷା ପାଇବା ସହ ନିଜ ଓ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ରଖି ଯାନର ବୈଧ ବୀମା, ଫିଟନେସ୍‌ ପ୍ରମାଣପତ୍ର ଓ ପ୍ରଦୂଷଣ ପ୍ରମାଣପତ୍ର ଆଦି ଆବଶ୍ୟକ କାଗଜପତ୍ର ସମୟୋପଯୋଗୀ ଭାବେ ନବୀକରଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଙ୍ଗଦାନ କରି ଅମର ହେଲେ ଗୌଡତାଳସିଂ ଗ୍ରାମର ଜୀବରତ୍ନମମୃତ୍ୟୁପରେ ୫ ଅଙ୍ଗଦାନ କରି ଅମର ହେଲେ

ପାରଳାଖେମୁଣ୍ଡି, ଚେତନା ମିଡ଼ିଆ : ମୃତ୍ୟୁପରେ ମଧ୍ୟ ନୂତନ ଜୀବନ ଦେଇ ଅମର ହୋଇପାରିଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସବୋରା ପଞ୍ଚାୟତ ଅନ୍ତର୍ଗତ ଗୌଡତାଳସିଂ ଗ୍ରାମର ସିଏଚ୍. ଜୀବରତ୍ନମ୍ (୪୫) । ଅଙ୍ଗ ଦାନ କରି ଅମର ହୋଇଛନ୍ତି । ସମସ୍ତ ମହଲରେ ସାଲ୍ୟୁଟ୍ ମାରୁଛନ୍ତି । ଅଞ୍ଚଳ ତଥା ଗ୍ରାମବାସୀ ମାନେ ସାଉଁଟୁଛନ୍ତି ଜୀବରତ୍ନମଙ୍କ ସାଙ୍ଗରେ ବିତାଇଥିବା ମୂହୁର୍ତ୍ତକୁ । ତେବେ ପୋଲିସ କିମ୍ବା ପ୍ରଶାସନ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ ନପାରିଥିବାକୁ ନେଇ ଆଲୋଚନା ମଧ୍ୟ ହେଉଛି । ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିବା ଅଞ୍ଚଳବାସୀ ଜୀବରତ୍ନମଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଉଛନ୍ତି । ସେପଟେ ପରିବାର ଲୋକେ ଜୀବରତ୍ନମଙ୍କ ବିୟୋଗରେ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ଅଙ୍ଗଦାନ କରି ଅମର ରହିଥିବାକଥାକୁ ନେଇ ଗର୍ବିତ ମଧ୍ୟ କରୁଛନ୍ତି । ତେବେ ଏପରି ଅଙ୍ଗଦାନ ଘଟଣା ଗଜପତି ଜିଲ୍ଲାରେ କିଛି ହାତଗଣତିଙ୍କ ମଧ୍ୟରୁ ଜଣେ ଅଟନ୍ତି । ପ୍ରକାଶ ଯେ, ମୃତ ସିଏଚ୍. ଜୀବରତ୍ନମ ଗୁରୁବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରେ ରହୁଥିବା ନିଜ ଶଶୁରଙ୍କ ଘର ଗଙ୍ଗାରାଜପୁରମ୍ ଗ୍ରାମ କୁ ଚାଲି ଚାଲି ଯାଉଥିଲେ ।ତେବେ ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମ ନିକଟରେ କୌଣସି ଅଜଣା ଗାଡି ଧକ୍କା ଦେଇଚାଲିଯାଇଥିଲା । ସେହି ସମୟରେ ପ୍ରବଳ ବର୍ଷା ମଧ୍ୟ ହେଉଥିଲା । ଫଳରେ ଦୁର୍ଘଟଣା ଘଟିଥିବାର କେହି ଦେଖିପାରିନଥିଲେ ମଧ୍ୟ ଘଟଣାସ୍ଥଳରେ ପଡିରହିଥିବାର ଦେଖିଥିଲେ । ସେତେବେଳକୁ ଜୀବରତ୍ନମ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ । ପରେ ଗୁରାଣ୍ଡି ପୋଲିସ ପହଞ୍ଚି ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଯୋଗୁଁ ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ତାଙ୍କ ବଞ୍ଚିବା ଆଶାକ୍ଷୀଣ ବୋଲି ଡାକ୍ତରମାନେ ପ୍ରକାଶ କରିଥିଲେ । ଏପରି ପରିସ୍ଥିତିରେ ଅଙ୍ଗଦାନ ଏକ ମହତ୍ବପୂର୍ଣ୍ଣ କଥା ଶୁଣି ପରିବାର ଲୋକେ ମୃତ୍ୟୁ ପରେ ଜୀବରତ୍ନମଙ୍କ ଅଙ୍ଗଦାନ ସମ୍ପର୍କେ ଭାବିଥିଲେ । ତେବେ ତିନିଦିନର ଚିକିତ୍ସା ପରେ ଜୀବରତ୍ନମଙ୍କ ମୃତ୍ୟୁ ଘଟିଥିଲା । ପରେ ସପରିବାର ଅଙ୍ଗଦାନ ସମ୍ପର୍କେ ସମ୍ମତି ପ୍ରକାଶ କରିଥିଲେ । ଏହାପରେ ଜୀବରତ୍ନମଙ୍କ ହୃତପିଣ୍ଡ, ଲିଭର୍, କିଡ୍ନୀ ଆଦିପରି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗୁଡିକ ପ୍ରତ୍ୟାର୍ପଣ ପାଇଁ ବାହାର କରାଯାଇଥିଲା । ତେବେ ଜୀବରତ୍ନମ ଅଙ୍ଗଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇ ଥିବାରୁ ଆନ୍ଧ୍ର ସରକାରଙ୍କ ତରଫରୁ ପ୍ରଶଂସାପତ୍ର ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅମର ରହେ ଧ୍ବନୀ ସହ ସସମ୍ମାନ ପ୍ରଦାନ କରାଯାଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ଜୀବରତ୍ନମଙ୍କ ପରିବାର ବହୁ ଗରୀବ ପରିବାର ହୋଇଥିବା ଏବଂ ତାଙ୍କର ଗୋଟିଏ ଲେଖାଏଁ ଛୋଟ ପୁଅ ଛୋଟ ଝିଅ ସହ ସ୍ତ୍ରୀ ରହିଛନ୍ତି । ଜୀବରତ୍ନମ ବଢେଇ କାମକରି ଗୁଜାରଣ ମେଣ୍ଟାଉଥିଲେ । ତେଣୁ ସରକାରୀ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ଗ୍ରାମର ସମାଜସେବୀ ବିନୋଦ ପରିଚ୍ଛା ପ୍ରମୁଖ ଜଣାଇଛନ୍ତି । ତେବେ ସମଗ୍ର ଅଞ୍ଚଳରେ ଗୋଟିଏ କଥା ଗୋଟିଏ ଲୋକଙ୍କ ମୃତ୍ୟୁ ଏବଂ ତାହା ପରେ ଅନ୍ୟମାନଙ୍କ ପାଇଁ ଜୀବନ ଦାନ ଅଞ୍ଚଳରେ ଏକ ଅନୁପମ ନିଦର୍ଶନ ହିସାବରେ ସ୍ମରଣୀୟ ହେବ ବୋଲି ଆଲୋଚନା ହେଉଛି ।

ବର୍ଷାରେ ବେହାଲ ଇସ୍ପାତନଗରୀ:ସ୍ମାର୍ଟସିଟିର ରାସ୍ତା ପାଲଟିଲା ପୋଖରୀ,ଘରେ ପଶିଲା ବର୍ଷାଜଳ • ରେଳ ଷ୍ଟେସନ ପାର୍କିଂରେ ୩ରୁ ୪ ଫୁଟ ପାଣି

ସ୍ମାର୍ଟସିଟିର ରାସ୍ତା ପାଲଟିଲା ପୋଖରୀ,
ଘରେ ପଶିଲା ବର୍ଷାଜଳ • ରେଳ ଷ୍ଟେସନ ପାର୍କିଂରେ ୩ରୁ ୪ ଫୁଟ ପାଣି

ରାଉରକେଲା, ଚେତନା ମିଡ଼ିଆ : କିଛି ଦିନର ବ୍ୟବଧାନ ପରେ ସୋମବାର ରାଉରକେଲାରେ ହୋଇଥିବା ପ୍ରବଳ ବର୍ଷା ପୁଣିଥରେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଅଳ୍ପ ସମୟର ପ୍ରବଳ ବର୍ଷାରେ ସହରର ପ୍ରମୁଖ ରାସ୍ତା, ରିଂ ରୋଡ୍‌ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତି ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଅନେକ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହିବାରୁ ଯାତାୟାତ ଠପ୍‌ ହେବା ସହ ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ିଛନ୍ତି।

ବିଶେଷକରି ଇନ୍ଦିରାନଗର ଓ ମଛଲି ମାର୍କେଟ୍‌ ଅଞ୍ଚଳରେ ସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ଉଭୟ ବସ୍ତିର ୫୦ରୁ ଅଧିକ ଘର ଜଳବନ୍ଦି ହୋଇପଡ଼ିଥିବା ବେଳେ ଅନେକ ଘର ଭିତରକୁ ବର୍ଷାଜଳ ପଶିଯାଇଥିଲା। ଘରେ ରଖାଯାଇଥିବା ଆସବାବପତ୍ର ଓ ଖାଦ୍ୟଶସ୍ୟ ନଷ୍ଟ ହୋଇଯିବାରୁ ପରିବାରଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ଗତବର୍ଷ ମଧ୍ୟ ଏହି ଅଞ୍ଚଳବାସୀ ସମାନ ସମସ୍ୟା ଭୋଗିଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ଅସନ୍ତୋଷ ତୀବ୍ର ହୋଇଛି।

ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରୁ ବର୍ଷା ଆରମ୍ଭ ହୋଇ କିଛି ସମୟ ଧରି ଲାଗି ରହିଥିଲା। ପରେ ଅପରାହ୍ନ ପ୍ରାୟ ୪ଟାରୁ ପୁଣି ବର୍ଷା ଆରମ୍ଭ ହେବାରୁ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। ତଳିଆ ଅଞ୍ଚଳରେ ରହୁଥିବା ପରିବାରଗୁଡ଼ିକ ଘରୁ ବାହାରିବାକୁ ମଧ୍ୟ ହଇରାଣ ହୋଇଥିଲେ।
ରାଉରକେଲା ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶପଥ ନିକଟ ପାର୍କିଂ ଅଞ୍ଚଳରେ ମଧ୍ୟ ବର୍ଷାଜଳ ଜମି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ପାର୍କିଂସ୍ଥଳରେ ପ୍ରାୟ ୩ରୁ ୪ ଫୁଟ ପାଣି ଜମିଯିବାରୁ ପାଖାପାଖି ୩୦ଟି ଯାନ ପାଣିରେ ବୁଡ଼ିଯାଇଥିଲା। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ଭାବେ କାମ ନକରିବାରୁ ବର୍ଷାଜଳ ଦୀର୍ଘ ସମୟ ଧରି ନିଷ୍କାସିତ ହୋଇପାରିନଥିବା ଅଭିଯୋଗ ହୋଇଛି।

ସହରର ଅନ୍ୟାନ୍ୟ ପ୍ରମୁଖ ରାସ୍ତା ମଧ୍ୟ ଜଳମଗ୍ନ ହୋଇଥିଲା। ଗୁରୁଦ୍ୱାରା ରୋଡ୍‌, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍‌, ରିଂ ରୋଡ୍‌ର ଟ୍ରାଫିକ୍‌ ଗେଟ୍‌, ଆର୍‌ଏସ୍‌ପି ପ୍ରଶାସନିକ ଭବନ ସମ୍ମୁଖ, ସାରନା ଛକ ଓ ଏୟାର୍‌ଷ୍ଟ୍ରିପ୍‌ ରୋଡ୍‌ରେ ପାଣି ଜମି ରହିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସ୍ମାର୍ଟସିଟିର ରାସ୍ତା ପାଲଟିଲା ପୋଖରୀ

ପ୍ରବଳ ବର୍ଷାରେ ସ୍ମାର୍ଟସିଟିର ବିଭିନ୍ନ ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରିଥିଲା। ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ବର୍ଷାଜଳ ପଶିଯିବାରୁ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷା ହେଲେ ସହରର ଏକାଧିକ ଅଞ୍ଚଳରେ ସମାନ ଚିତ୍ର ଦେଖିବାକୁ ମିଳୁଥିବା ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି।

ବର୍ଷା ଯୋଗୁଁ କେବଳ ଯାତାୟାତ ନୁହେଁ, ସାଧାରଣ ଜୀବନଯାପନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜଳବନ୍ଦି ଅଞ୍ଚଳର ଲୋକେ ପାଣି ଭିତରେ ରହି ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଏହି ମଧ୍ୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ବର୍ଷା ଆସିଲେ ପ୍ରତିବର୍ଷ ଜଳବନ୍ଦି ହେଉଥିବା ଅଞ୍ଚଳଗୁଡ଼ିକର ସ୍ଥାୟୀ ସମାଧାନ କେବେ ହେବ, ତାହାକୁ ନେଇ ଏବେ ସହରବାସୀଙ୍କ ନଜର ରହିଛି।