ରାଧା କୃଷ୍ଣ ପାଠାଗାର ତରଫରୁ ଚକରା ବିଷୋୟୀ ଜୟନ୍ତୀ ପାଳିତ

Spread the love

ଭଞନଗର,ଚେତନା ମିଡ଼ିଆ: ଭଞ୍ଜନଗର ବକୣ ବାଉଁଶଲୁଣି ଗାଁ ରେ ଥିବା ରାଧାକୃଷ୍ଣ ପାଠାଗାର ତରଫରୁ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୧୦୩ ତମ ଜୟନ୍ତୀ ପାଳନ ଅବସରରେ” ଚକରା ବିଷୋୟୀଙ୍କ ଐତିହାସିକ ବିଦ୍ରୋହ ଓ ସାଂପ୍ରତିକ ଅବସ୍ଥା” ପ୍ରସଙ୍ଗ ଭିତ୍ତିକ ଏକ ଆଲୋଚନା ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଂଜନ ପ୍ରଧାନଙ୍କ ସଭାପତିତ୍ବରେ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଚକରା ବିଷୋୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବା ପରେ ଶିକ୍ଷକ ପଞ୍ଚାନନ ସାହୁ ଚକରା ବିଷୋୟୀଙ୍କ ସ୍ମୃତି ସଂପର୍କୀତ ଏକ ସଂଗ୍ରାମୀ କବିତା ପରିବେଷଣ କରିଥିଲେ।
ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସଭ୍ୟ ତଥା ସମ୍ପାଦକ ବେଲଗୁଣ୍ଠା ବ୍ଲକ୍ ଦୀନବନ୍ଧୁ ଜେନା ମୁଖ୍ୟ ଅତିଥି, ଘୁମୁସର ସଂବାଦ ସଂପାଦକ ନେତାଜୀ ବିଷୋୟୀ ସମ୍ମାନିତ ଅତିଥି ଓ ରୁଢାପଦର ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୌରହରି ବାଡତ୍ୟାଆ, ମୁଖ୍ୟବକ୍ତା ରୂପେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଦୀନବନ୍ଧୁ ଜେନା କହିଥିଲେ ଯେ, ଆମେ ସମସ୍ତେ ଚକରା ବିଷୋୟୀଙ୍କ ତ୍ୟାଗପୂତ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ବିଧେୟ । ସମସ୍ତଙ୍କୁ ସଚେତନ କରାଇ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଆମର କର୍ତ୍ତବ୍ୟ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଘୁମୁସର ସମ୍ବାଦର ସମ୍ପାଦକ ନେତାଜୀ ବିଷୋୟୀ ଦୋହରା ଓ ଚକରା ବିଷୋୟୀଙ୍କ ରଣକୌଶଳ, ସଶସ୍ତ୍ର ସଂଗ୍ରାମର ଐତିହ୍ୟ ସଂପର୍କରେ ଆଲୋକପାତ କରିବା ସହିତ ସାଂପ୍ରତିକ ପରିସ୍ଥିତିରେ ଧନୀ ଅଧିକ ଧନୀ ଏବଂ ଗରିବ ଅଧିକ ଗରିବ ହୋଇଯାଉଛି ବୋଲି ମତ ବ୍ୟକ୍ତ କରିଥିଲେ । ଇଂରେଜ ମାନଙ୍କ ଅତ୍ୟାଚାର , ଧର୍ମାନ୍ତରୀକରଣ , ଅର୍ଥନୈତିକ ଶୋଷଣ ଓ ତ୍ରୁଟିପୂର୍ଣ୍ଣ ରାଜସ୍ୱ ଆଦାୟ ପ୍ରଥାରେ ଲୋକମାନେ ଅସନ୍ତୁଷ୍ଟ ହୋଇ ଚକରା ବିଷୋୟୀଙ୍କ ନେତୃତ୍ୱରେ ସଂଗ୍ରାମ କରିବାକୁ ଆଗେଇ ଆସିଥିଲେ ବୋଲି ମୁଖ୍ୟ ବକ୍ତା ଭାଷଣ ମାଧ୍ୟମରେ ନିଜର ମତ ବ୍ୟକ୍ତ କରିଥିଲେ । ପାଠାଗାରର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଚକରା ବିଷୋୟୀଙ୍କର କ୍ରାନ୍ତିକାରୀ ଚେତନାରେ ଅନୁପ୍ରାଣିତ ହେବା ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ପ୍ରଧାନ ବର୍ତମାନ ସମାଜରେ ଦେଖାଯାଉଥିବା ସାମ୍ପ୍ରଦାୟିକ ବିଦ୍ୱେଷ ଓ ଘୃଣାରୁ ନିବୃତ୍ତ ରହିବା ପାଇଁ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହା ସହିତ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଗଣତାନ୍ତ୍ରିକ , ଧର୍ମନୀରପେକ୍ଷ ,ସଂଘୀୟ ଭିତ୍ତିକ ଓ ବିଜ୍ଞାନ ଭିତ୍ତିକ ହେବା ବାଞ୍ଛନୀୟ ବୋଲି କହିଥିଲେ । ଯୁବ ସମାଜସେବୀ ବିକାଶ ଜେନା ଚକରା ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ କୌଶଳକୁ ସାମାଜିକ ପରିବର୍ତନରେ ଉପଯୋଗ କରିବା ପାଇଁ ଦୁଢମତ ବ୍ୟକ୍ତ କରିଥିଲେ ।
ଆନନ୍ଦ ସଂଗୀତାୟାନର ଗୁରୁ ଅଶୋକ କୁମାର ମହାପାତ୍ର, ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ସତେଶ୍ଵର ମହାରଣା, ଦିଲ୍ଲୀପ କୁମାର ପଗଡ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ସମାଜରେ ଦେଖା ଦେଇଥିବା ସାଂପ୍ରତିକ ସମସ୍ୟାକୁ ଦୂର କରିବା ପାଇଁ ଯୁବ ଗୋଷ୍ଠୀକୁ ସଚେତନହୋଇ କାର୍ଯ୍ୟ କରିବା ସକାଶେ ଆହ୍ୱାନ ଦେଇଥିଲେ।
ଶିକ୍ଷକ ଜୟରାମ ଗୌଡ଼ , ଅବସରପ୍ରାପ୍ତ ମୁଖ୍ୟ କିରାଣୀ ତାରିଣୀ ନାୟକ, କୃଷ୍ଣ ନାୟକ ,ବୈଦ୍ୟ ପ୍ରଧାନ , ଶିକ୍ଷକ ଦିବାକର ଲେଙ୍କା, ଯୁବ କଂଗ୍ରେସ ନେତା ସୁକାନ୍ତ ଦିଗାଲ , ଛାତ୍ରନେତା ଉତ୍ତମ ପ୍ରଧାନ ,ପ୍ରସନ୍ନ ତ୍ରପାଠୀ ଓ ମହିଳା ସମାଜସେବୀ ସୁନୀତା କୁମାରୀ ବିଷୋୟୀ , ଉଲ୍ଲା ସେଠୀ ,ରମାକାନ୍ତ ବିଷୋୟୀ ସମେତ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।
ପରିଶେଷରେ ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *