ଘରୋଇ ମେଡିକାଲ କଲେଜ କୁ ପ୍ରାୟ ୫୦ ଏକର ଜମିକୁ ଲିଜରେ ଦେବା ନିଷ୍ପତ୍ତି କୁ ଅଞ୍ଚଳବାସୀ ଙ୍କ ବିରୋଧ ,

ବ୍ରହ୍ମପୁର ,ଚେତନା ମିଡ଼ିଆ : କନିସି ତହସିଲ ଅନ୍ତର୍ଗତ ଲଉଡ଼ିଗାଁ ମୌଜାର ଆବାଦ ଅଯୋଗ୍ୟ ଅନାବାଦୀ ଜମିକୁ, ଆବାଦ ଯୋଗ୍ୟ ଅନାବାଦୀରେ ପରିବର୍ତ୍ତନ କରି ଘରୋଇ ମେଡିକାଲ କଲେଜ କୁ ଲିଜ ସୂତ୍ରରେ ପ୍ରଦାନ କରିବାକୁ ନେଇ ଗ୍ରାମବାସୀ ବିରୁଦ୍ଧ କରିଛନ୍ତି ।
କନିଷି ତହସିଲ ପକ୍ଷରୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲ କଲେଜ କୁ ଲଉଡିଗାଁ ମୌଜା ରେ ପ୍ରାୟ ୫୦ ଏକର ଜମି କୁ ଦୀର୍ଘ ମିଆଦୀ ଲିଜ ରେ ଦେବା ନିଷ୍ପତ୍ତି କୁ ଅଞ୍ଚଳବାସୀ ବିରୋଧ କରିବା ସହ ତହସିଲ ପକ୍ଷରୁ ଏପରି ନକରିବାକୁ ଦାବି କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କନିଷି ତହସିଲ ପକ୍ଷରୁ ଗତ ଜୁଲାଇ ୨୮ ତାରିଖରେ ଚିଠି ନଂ ୧୧୮୯୧ ଯୋଗେ ସର୍ବସାଧାରଣ ଅବଗତି ନିମନ୍ତେ ନୋଟିସ କରାଯାଇଛି। ନୋଟିସ ପ୍ରକାରରେ କନିସି ତହସିଲ ଅନ୍ତର୍ଗତ ଲଉଡ଼ିଗାଁ ମୌଜା ର ଖାତା ନଂ ୨୫୨ ପ୍ଲଟ ନଂ ୭୨୬ ମୋଟ ରକବା ୫୭.୪୪୭ ଏକର ଆବାଦ ଅଯୋଗ୍ୟ ଅନାବାଦୀ ରୁ ଆବାଦ ଯୋଗ୍ୟ ଅନାବାଦୀକୁ ପରିବର୍ତନ କରାଯାଇ ପ୍ରବିଣ ମେଡିକାଲ ଏଡ୍ୟୁକେସନ ଏବଂ ରିସର୍ଚ୍ଚ ଫାଉଣ୍ଡେସନ ନାମରେ ଲିଜ ସୂତ୍ରରେ ଜମି ପ୍ରଦାନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।ଯାହାକୁ ଲଉଡ଼ିଗାଁ ର ଗ୍ରାମବାସୀ, ଜନ ପ୍ରତିନିଧି ଏବଂ କନିସି ତହସିଲ ଅନ୍ତର୍ଗତ ସର୍ବ ସାଧାରଣ ବିରୋଧ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ସଂସ୍ଥା କୌଣସି ଅନୁଷ୍ଠାନ ନଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ର ସମାଜ ପାଇଁ କିଛି ଅବଦାନ ନଥିବା ସହ ଏହା ଆନ୍ଧ୍ର ପ୍ରଦେଶର ଗୋଟେ ନବାଗତ ସଂସ୍ଥା ଅଟେ । ଏଭଳି ଲଉଡ଼ିଗାଁ ମୌଜା ର ବହୁମୂଲ୍ୟ ସରକାରୀ ଜମି ହାତେଇବା ପାଇଁ ଏକ ସୁଚିନ୍ତିତ ଚକ୍ରାନ୍ତ କରିବାକୁ ଯୋଜନା ରଖିଥିବା ଅଭିଯୋଗ କରିଛନ୍ତି।ଏହା ସହ ଜମି ଲିଜ ନେଇ ଏଯାବତ କନିସି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମରେ ଧେଣ୍ଡୁରା ମାଧ୍ୟମରେ ଅବଗତ କରାଯାଇ ନାହିଁ କିମ୍ଭା ଗ୍ରାମ ପଞ୍ଚାୟତ କାର୍ଯାଳୟକୁ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପତ୍ର ପ୍ରେରଣା କରା ଯାଇ ନାହିଁ । ଏଥି ପୂର୍ବରୁ କନିସି ତହସିଲ ର ବହୁ ସ୍ଥାନରେ ସରକାରୀ ଜମି ବିଭିନ୍ନ ସଂସ୍ଥା ମାନେ ଲିଜ ସୂତ୍ରରେ ନେଇ ପରବର୍ତୀ ସମୟରେ ନିଜ ନାମରେ
ପଟା କରି ବିକ୍ରୟ କରିଦେଇଥୁବା ନଜିର ଅଛି। ଏଣୁ କନିଷି ତହସିଲ ପକ୍ଷରୁ ଏପରି କରାଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଏହା ନେଇ ରାଜରାସ୍ତାକୁ ଓହ୍ଲାଉବାକୁ ବାଧ୍ୟ ହେବେ ବୋଲି ଅଭିଯୋଗ କରିଛନ୍ତି।

ଦୁଇ IPSଙ୍କୁ DG ପାହ୍ୟାକୁ ପଦୋନ୍ନତି,ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ଚେତନା ମିଡ଼ିଆ : ଓଡ଼ିଶା ପୁଲିସ ବିଭାଗରେ ବଡ଼ ପଦୋନ୍ନତି ହୋଇଛି। ରାଜ୍ୟ ସରକାର ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ଅତିରିକ୍ତ ଡିଜି (ଏଡିଜି) ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଜଣାପଡ଼ିଛି।

ଏହି ପଦୋନ୍ନତି ଏଭଳି ସମୟରେ ହୋଇଛି, ଯେତେବେଳେ ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ପରବର୍ତ୍ତୀ ଡିଜିପି କିଏ ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଦୁଇ ବରିଷ୍ଠ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପରେ ନୂଆ ଡିଜିପି ଚୟନକୁ ନେଇ ଚର୍ଚ୍ଚା ଆହୁରି ରୋଚକ ହୋଇଛି।

ଜନଶୁଣାଣିରେ ୨ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ, ଘଟଣାସ୍ଥଳରୁ ଉଭୟଙ୍କୁ କାବୁ କଲା ପୁଲିସ

ପଟ୍ଟାମୁଣ୍ଡାଇ, ଚେତନା ମିଡ଼ିଆ : ରାଜନଗର ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଦୁଇ ଚାଷୀଙ୍କ ଚରମ ପ୍ରତିବାଦକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ସମସ୍ୟା ଭୋଗୁଥିବା ଅଭିଯୋଗ କରି ତାଳଚୁଆ ଓ ଢୋଲମରା ଗାଁର ଦୁଇ ଚାଷୀ ଜନଶୁଣାଣିରେ ତୀବ୍ର ପ୍ରତିବାଦ କରି ଆତ୍ମହତ୍ୟା କରିବାଜୁ ଉଦ୍ୟମ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପୂର୍ବରୁ ପୁଲିସ ଉଭୟଙ୍କୁ ନିୟନ୍ତ୍ରଣକୁ ନେଇଥିଲା।

ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ କୃଷିଜମି ଓ ପରିବେଶ ପ୍ରଭାବିତ ହେଉଛି। ଏନେଇ ପୂର୍ବରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଜନଶୁଣାଣିରେ ଏଭଳି ଘଟଣା ପରେ ପ୍ରଶାସନ ପକ୍ଷରୁ ସ୍ଥିତି ସମ୍ପର୍କରେ ତଥ୍ୟ ନିଆଯାଇଛି। ବେଆଇନ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ଅଭିଯୋଗର ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।