ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି, ସୀମାରେ ହାଇଆଲର୍ଟ

Spread the love

ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଗୁଜରାଟ, ରାଜସ୍ଥାନ ଏବଂ କାଶ୍ମୀର ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ସହର ଓ ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ପ୍ରହରା ବ୍ୟବସ୍ଥା କରାଯାଇଛି । ପୁଲିସ ଓ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି ।ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି । ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ରାଜସ୍ଥାନ ଏବଂ କାଶ୍ମୀର ସୀମାରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ସୂଚନା ଅନୁଯାୟୀ, ଦିଲ୍ଲୀ ବିସ୍ଫୋରଣ ପରେ ପାକିସ୍ତାନ ରାତି ତମାମ ଲଢ଼ୁଆ ବିମାନ ସହ ରାଜସ୍ଥାନ ସୀମାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସୀମାରେ ନିଜର ତୀକ୍ଷ୍ଣ ନଜର ରଖିଛି ଏବଂ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ।ସୂତ୍ର ଅନୁଯାୟୀ, ଦିଲ୍ଲୀ ବିସ୍ଫୋରଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାର୍ବଜନୀନ ସ୍ଥଳ, ବଜାର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ଯାଞ୍ଚ ବଢ଼ାଇ ଦିଆଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ଓ ବସ୍ତୁ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ କୁହାଯାଇଛି । ଏହା ସହ ସୀମାରେ ଥିବା ସମସ୍ତ ସୁରକ୍ଷା ଏଜେନ୍ସିକୁ ହାଇଆଲର୍ଟରେ ରଖାଯାଇଛି ଏବଂ ସେମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନକୁ ତ୍ୱରାନ୍ୱିତ କରାଯାଇଛି । ଦେଶର ସୁରକ୍ଷା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *