ଦୁର୍ଘଟଣା -ବନାମ ପିୟୁସି -ବନାମ- ମଦ

Spread the love

    ଭାରତ ଏକ ଜନବହୁଳ ରାଷ୍ଟ୍ର । ଏହିଦେଶରେ ଜନସଂଖ୍ୟାର ଦୃତ ଅଭିବୃଦ୍ଧି ସାଙ୍ଗକୁ ବାଣିଜ୍ଯ, ନିଯୁକ୍ତି, ଗମନାଗମନ, ପ୍ରଯୁକ୍ତିବିଦ୍ଯାର ବହୁଳ ପ୍ରୟୋଗ ଓ ବିକାଶ ଘଟିଛି ଏବଂ ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ଏଥିପାଇଁ ସରକାର ଦିନ ରାତି ସ୍ୱପ୍ନ ଦେଖିଚାଲିଛନ୍ତି ଓ ଜନସାଧାରଣ ବି ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ମାନିଚାଲିଛନ୍ତି । ନିକଟ ଅତୀତରେ ଆମ ଦେଶ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳତା ଅର୍ଜନ କରିଥିବାବେଳେ ଏବେ ଆଉଏକ ସଫଳତା ଅର୍ଜନ କରିବାକୁ ଯାଉଛି, ତାହା ହେଉଛି ବିନା ଟାୱାର ରେ ନେଟୱର୍କ ଆସିବ, ସାଟେଲାଇଟ ଜରିଆରେ ସିଧାସଳଖ ମୋବାଇଲ କନେକ୍ସନ ହୋଇ ନେଟୱର୍କ ଚଳେଇ ହେବ । ଆମଦେଶର ବୈଜ୍ଞାନିକ ମାନଙ୍କ ଜ୍ଞାନ କୌଶଳ ସତରେ ବିଶ୍ୱଦରବାରରେ ପୂଜିତ । ଆମ ଦେଶ ଆଗକୁ ଆଗେଇ ଚାଲିଛି ସତ କିନ୍ତୁ ସରକାର......! ବିଭିନ୍ନ ସମୟରେ ଦେଶର ବିଭିନ୍ନ ସମସ୍ୟାର ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସେ  ପଦକ୍ଷେପ ସବୁ ଜନସାଧାରଣ ଦୈନିକ ଜୀବନଜୀବିକା ଉପରେ କେତେ ପ୍ରଭାବ ପକାଉଛି ବିଚାରଆପଣଙ୍କ ହାତରେ । ପ୍ରଥମେ ଦେଶରେ କଳାବଜାରୀରେ ରୁକ୍ ଲଗେଇବା ପାଇଁ ବିମୁଦ୍ରିକରଣ, ଲୋକେ ନିଜ ନିଜ କାମଧନ୍ଦା ଛାଡ଼ି ବ୍ୟାଙ୍କରେ ଲମ୍ବା ଧାଡ଼ି ଲଗେଇଲେ । ମହିଳା ମାନଙ୍କ ସମ୍ମାନ ଓ ସୁବିଧା ପାଇଁ ଉଜ୍ଜ୍ବଳା ଯୋଜନା ଲୋକେ ଗ୍ୟାସ୍ ବିତରକଙ୍କ ଆଗରେ ଲମ୍ବା ଧାଡ଼ି ଲଗେଇଲେ । ଏମିତି ଅନେକ ଘଟଣା ରହିଛି । ଏବେ ଆଲୋଚନା କରିବା ଦୁର୍ଘଟଣାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ବିଭିନ୍ନ ନିୟମ କଥା । 
  ଜାତୀୟ ରାଜପଥ ଓ ରାଜ୍ଯ ରାଜପଥ ରେ ପ୍ରତି ମୁହୁର୍ତ୍ତରେ ହଜାର ହଜାର ଗାଡ଼ି ଚଳାଚଳ ହେଉଛି ଦୁର୍ଘଟଣାବି ଅନେକ ହେଉଛି, ଏହାକୁ କମେଇବା ପାଇଁ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ଯାହା ଦ୍ବାରା ସ୍ୱୟଂଚାଳିତ ଯନ୍ତ୍ର ଦ୍ବାରା ଦୃତବେଗରେ ଯାଉଥିବା ଯାନ ଉପରେ ଜୋରିମାନା ଲଗାଇଥାଏ । କେତେକ କ୍ଷେତ୍ରରେ ସଙ୍ଗେ ମୋବାଇଲ କୁ ଚାଲାଣ ଆସିଥିବାବେଳେ କେତେବେଳେ କେତେବେଳେ ତିନି ଚାରିଦିନ ପରେ । 
ଆମ ଦେଶର ବହୁଳ ଭାବରେ ଗମନାଗମନ ପାଇଁ ଲୋକେ ସଡ଼କପଥ ଉପରେ ନିର୍ଭରଶୀଳ । ସରକାର ପ୍ରତିଦିନ ସଡ଼କ ସୁରକ୍ଷା ସଚେତନତା ସହ ହେଲମେଟ ଚେକିଂ, ସିଟବେଲଟ ଚେକିଂ,ଦୃତବେଗ, ଗୋଟିଏ ମଟରସାଇକେଲ ରେ ଦୁଇରୁ ଅଧିକ ଲୋକ ବସିଥିଲେ, ପଲ୍ୟୁସନ ସାର୍ଟିଫିକେଟ ନଥିଲେ ମୋଟା ଅଙ୍କର ଫାଇନ୍ କଟାଯାଉଛି । ଏବେ ପୁଣି ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ମିଳିବନାହିଁ ବୋଲି ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାଫଳରେ ଲୋକେ ପଲ୍ୟୁସନ ସେଣ୍ଟର ଓ ବିଭିନ୍ନ ଘରୋଇ ପଲ୍ୟୁସନ ଟେଷ୍ଟ ଗାଡ଼ିପାଖରେ ଲମ୍ବା ଲାଇନ୍ ଲଗେଇଥିବା ନଜରକୁ ଆସୁଛି । ସେଇଠି ପୁଣି କାହାର ମୋବାଇଲ ନମ୍ବର ଅପଡେଟ ନଥିଲେ ଓ ଇ-ଚାଲାଣ ହେଇଥିଲେ ପଲ୍ୟୁସନ ସାର୍ଟିଫିକେଟ ହେଇ ପାରୁନି  । ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର କହୁଛନ୍ତି ଏହା ଦ୍ୱାରା ଦୁର୍ଘଟଣା ରୋକାଯାଇପାରିବ ଏବଂ ପରିବେଶକୁ ପ୍ରଦୁଷଣ ମୁକ୍ତ କରିହେବ । 
ପ୍ରଶ୍ନ ଉଠୁଛି ଅନେକ ସମୟରେ ଦୁର୍ଘଟଣାର କାରଣ ମଦ୍ୟପାନ କରି  ଗାଡ଼ିଚଳାଳନା ର ହାର ଅଧିକ ରହିଛି । ଆଉ ସରକାର ଦିନକୁ ଦିନ ମଦଦୋକାନ ଖୋଲି ଚାଲିଛନ୍ତି, ରାଜପଥକୁ ଲାଗିକି ମଦଦୋକାନ ମାନ ଥିବାର ନଜର ଆସୁଛି । ଏହା କ'ଣ ଦୁର୍ଘଟଣା ବଢ଼ାଉନାହିଁ କି ? ଢେଙ୍କାନାଳ ରେ ମଦକାରଖାନାପାଇଁ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ୱେ ଲକ୍ଷାଧିକ ଗଛକଟାହେଲା, ଭୁବନେଶ୍ବରରେ ଗୃହ ନିର୍ମାଣ ପାଇଁ ଗଛ କଟାହେଲା, କେତେକ ଜାଗାରେ ରାସ୍ତାର ପ୍ରଶସ୍ତୀକରଣ ପାଇଁ ଗଛକଟାହେଉଛି, ଏବେ ପୁଣି ମୟୁରଭଞ୍ଜରେ ନୁତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗଛକଟା ଚାଲିଛି, ଏହା କ'ଣ ପରିବେଶ ପ୍ରଦୂଷଣର ହାର ବୃଦ୍ଧି କରିବ ନାହିଁ କି ? ନା ସରକାର ଖାଲି ମୋଟରଯାନ ମାଲିକଙ୍କ ପାଖରୁ ଫାଇନ୍ ନେଇ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣକୁ କମେଇପାରିବେ ? 

ଦେଶରେ ଦିନକୁ ଦିନ ଅପରାଧ ବଢ଼ିଚାଲିଥିଲାବେଳେ ପୁଲିସ ଅଧିକାରୀ ମାନେ ଗାଡ଼ି ମଟର ଯାଞ୍ଚରେ ନିୟୋଜିତ ଅଛନ୍ତି, ମଦ ବ୍ୟବସାୟୀଙ୍କୁ ସୁରକ୍ଷା ଦେଉଛନ୍ତି ।ଏହାଦ୍ୱାରା ଜନ ସାଧାରଣ ହଇରାଣ ହେବା ସହ ଅପରାଧ ଓ ଦୁର୍ଘଟଣା କମିବା ବଦଳରେ ବଢ଼ିବାରେ ଲାଗିଛି ।
ତେଣୁ ମୋ ମତରେ ମଦ ଓ ମାଦକ ଦ୍ରବ୍ଯ ସମ୍ପୁର୍ଣ୍ଣ ବନ୍ଦ କରିଦେବା ଉଚିତ ଯାହାଫଳରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଉନ୍ନତି ହେଇ ପାରିବ ଓ ଦୁର୍ଘଟଣା ମଧ୍ଯ ହ୍ରାସ ପାଇବ । ଲୋକଙ୍କୁ ବିଭିନ୍ନ ଦିଗରେ ସଚେତନ କରାଇବା ଉଚିତ । ଯାହାଦ୍ୱାରା ଆମେ ବିକଶିତ ଦେଶର କିବଶିତ ନାଗରିକ ଭାବେ ନିଜର ପରିଚୟ ସୃଷ୍ଟିକରିପାରିବା ।
*

ଦିଗାମ୍ବର (ଦିଲ୍ଲିପ)
ରସଲପୁର
ବାଲେଶ୍ବର
ମୋ- ୯୭୭୬୪୫୬୪୮୭

Leave a Reply

Your email address will not be published. Required fields are marked *