ବିରତ୍ୱର ଗାଥା ଘୁମୁରା

Spread the love

କଳା, କଳାକାର ଓ କଳାପ୍ରେମୀଙ୍କ ଏଇ କଳାହାଣ୍ଡି
ମାଟିର ବୀରତ୍ୱର ଗାଥା ବଖାଣ କରେ ଘୁମୁରା । ସାରା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ହାସଲ କରି ଥିବା ‘ଘୁମୁରା’ ବୀର ବାଦ୍ୟ ବା ଯୁଦ୍ଧ ବାଦ୍ୟ ବୋଲି କାହିଁ କେଉଁ କାଳରୁ ପୂରାଣ ଓ ଲୋକମୁଖରେ ପ୍ରଳଚିତ ହୋଇଛି । ଯୁଦ୍ଧମୁହାଁ ଯୋଦ୍ଧାମାନଙ୍କୁ ଅନୁପ୍ରେରିତ, ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ଏହି ବାଦ୍ୟ ସହ ରଣହୁଙ୍କାର ତୋଳି ନୃତ୍ୟ କରିବାର ପରମ୍ପରା ରହିଛି । ଏକଦା ଯୁଦ୍ଧଫେରନ୍ତା ଯୋଦ୍ଧାମାନଙ୍କର କ୍ଲାନ୍ତି ମେଣ୍ଟାଇବା ପାଇଁ ଏକମାତ୍ର ସାଧନରୂପେ ବ୍ୟବହୃତ ହେଉଥିବା ଏହି ରଣବାଦ୍ୟ ସହ କ୍ରମେ ସଂଯୁକ୍ତ ହୋଇଛି ଲୋକନୃତ୍ୟ ଏବଂ ଏହାପରେ ସଙ୍ଗୀତ । ଯୁଗ ଯୁଗ ଧରି ଲୋକାଚାରରେ ରହିଆସିଛି ଏହାର ପ୍ରୟୋଗଧାରା ହେଲେ ଇତିହାସ ଲିପିବଦ୍ଧ କରିନାହିଁ ତା’ର ଜନ୍ମଜାତକ ।
ଏହି ‘ଘୁମୁରା’ ବାଦ୍ୟର ଆଦିସ୍ରଷ୍ଟା ଚନ୍ଦ୍ରଧ୍ୱଜ କୁମ୍ଭକାର ବିଶ୍ୱନିୟନ୍ତାଙ୍କ ପରାମର୍ଶ କ୍ରମେ ବୀରବାଦ୍ୟକୁ ନିର୍ମାଣ କରିଥିଲେ ବୋଲି  ଲୋକମୁଖରୁ ଜଣାପଡେ଼ । ଘୁମୁରା ମାଠିଆ ଆକୃତିର ବାଦ୍ୟ ଉପକରଣ । ଏହାର ବେକ ଭାଗ ଲମ୍ବା ଓ ପେଟ ଭାଗ ଗୋଲାକାର । ମୁହଁରେ ଗୋଧି ଚର୍ମର ଛାଉଣି ଦିଆଯାଇଥାଏ । ଦୁଇ କତା ହାତରେ ଅଙ୍ଗୁଳି ଆଘାତ ଓ ଥାପ ଦ୍ୱାରା ଛାଡ଼ି ଉପରେ ବାନ୍ଧି ବଜାନ୍ତି  । ‘ଘୁମୁରା’ ର ସହଯୋଗୀ ବାଦ୍ୟବୃନ୍ଦ ହେଲା ନିଶାନ୍‌, ତାଳ ବା ଝାଞ୍ଜ ଓ କାହାଳୀ । ‘ଘୁମୁରା’ ନୃତ୍ୟର ବେଶଭୂଷା ସୈନିକର ବେଶପୋଷାକ ପରି, ଯଥା: ମୁଣ୍ଡରେ ଜରିଲଗା ପଗଡ଼ି, ପଗଡ଼ି ଉପରେ ମୟୂରଚୂଳ ବା ଟାୟା, କାନ୍ଧ ପାଖରୁ ପିଠି ତଳକୁ ଅଣ୍ଟା ପର୍ଯ୍ୟନ୍ତ ଝାଲର ଏବଂ ପରିଧାନ ପାଇଁ କଚ୍ଛା ଧୋତି  । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ସହ ‘ଘୁମୁରା’ ରୁ ପ୍ରକମ୍ପିତ ଶବ୍ଦ ଭିତରେ ଘନିଷ୍ଠ ସମ୍ପର୍କ ଯୋଡ଼ିହୋଇ ରହିଛି । ମା’ ମାଣିକେଶ୍ୱରୀଙ୍କ ‘ଛତର୍‌ ଯାତ୍ରା’ ରେ ବୀରବାଦ୍ୟ’ ଘୁମୁରା’ ନୃତ୍ୟ ପରିବେଷଣ କରି ମା’ଙ୍କୁ ପାଛୋଟି ଅଣାଯାଇଥାଏ ।
 ‘ଘୁମୁରା’ର ଜନ୍ମଜାତକ ବିଷୟରେ ଅନେକ ଗବେଷକ ଓ ପ୍ରାବନ୍ଧିକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି । ପୌରାଣିକ ପୃଷ୍ଠଭୂମିରୁ ଏହା ଅତି ପ୍ରାଚୀନ ନୃତ୍ୟ ଏବଂ ଅନେକ ଜ୍ଞାନିଗୁଣୀ ବ୍ୟକ୍ତି ଘୁମୁରାର ଜନ୍ମ ‘ଲଙ୍କା’ ବୋଲି ମତ ରଖୁଛନ୍ତି । ଅନେକ ଏହା ଳଙ୍କାର ରାଜା ରାବଣର ରଣବାଦ୍ୟ ବୋଲି କହିଲା ବେଳେ ଆଉ କେହି ଏହାକୁ ରାବଣର ପୁତ୍ର ମେଘନାଦର ତପସ୍ୟାର ଫଳ ବୋଲି କହନ୍ତି । ଯେଉଁ ବାଦ୍ୟ ଶତ୍ରୁପକ୍ଷ ଛାତିରେ ଭୟର ବାତାବରଣ ସୃଷ୍ଟି କରିବା ସହିତ ନିଜ ଯୋଦ୍ଧାମାନଙ୍କ ସାହସର କବଚ ସ୍ୱରୂପ କାର୍ଯ୍ୟ କରୁଥିଲା । ରାମାୟଣ ଯୁଗରେ ହିଁ ଘୁମୁରାର ଉତ୍ପତ୍ତି କିମ୍ବା ରାମାୟଣ ପୂର୍ବରୁ ସତ୍ୟ ଯୁଗରେ ଘୁମୁରା ଜନ୍ମ ନେଇଥିଲା ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବରେ କେଉଁଠାରେ ଉଲ୍ଲେଖ କରାଯାଇନାହିଁ ।
କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡିଠାରେ ଥିବା କେତେକ ଚିତ୍ରକୀର୍ତ୍ତି, ଯୋଗୀମଠ ଗୁମ୍ଫାଚିତ୍ର, ଅର୍କକ୍ଷେତ୍ର କୋଣାର୍କର ପଥର କଳାକୃତି, ଭୁବନେଶ୍ୱରର ଭୀମେଶ୍ୱର ମନ୍ଦିର ଗାତ୍ର, କଟକ ଜିଲ୍ଲାର ନରାଜ ପାହାଡ଼ରେ ଚିତ୍ର ଓ କୀର୍ତ୍ତିରାଜି ଘୁମୁରାକୁ ସର୍ବପୁରାତନ ବାଦ୍ୟ ଓ ନୃତ୍ୟ ବୋଲି ସୂଚାଉଛି । ମୋଟାମୋଟି ଭାବରେ  କୁହାଗଲେ, ଘୁମୁରା କଳାହାଣ୍ଡିର ନିଜସ୍ୱ ପରିଚୟ । କଳାହାଣ୍ଡିଆ ବୀରବାଦ୍ୟ ଘୁମୁରା ‘ପୋଏଲ ଉଆଁସ’ ବା ଚିତାଲାଗି ଅମାବାସ୍ୟା ଦିନ ପୂଜାପାଠ କରାଯାଇଥାଏ । ଏହାପରେ ପଶ୍ଚିମ ଓଡିଶାର ମହାନ୍‌ ଗଣପର୍ବ ‘ନୂଆଖାଇ’ ଠାରୁ ଦଶହରାର ବିଜୟା ଦଶମୀ ପର୍ଯ୍ୟନ୍ତ ସର୍ବତ୍ର ପୁରପଲ୍ଲୀରେ ଘୁମୁରାର ଘୁମ୍‌ ଘୁମ୍‌ ଶବ୍ଦ ମଣିଷ ମନରେ ଉତ୍ସାହ ଉଦ୍ଦୀପନା ଜାଗ୍ରତ କରାଏ  । ନୂଆଖାଇ ସରିବା ପରେ ନର୍ଭକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି । ସମୟ ସୁଅରେ ଅନେକ ପୁରୁଣା କଳା ଓ ପରମ୍ପରା କେଉଁଆଡେ ହଜିଗଲାବେଳେ କଳାହାଣ୍ଡି କିନ୍ତୁ ସଫଳତାର ସହିତ ଘୁମୁରା ନୃତ୍ୟକୁ ସାଇତି ରଖିପାରିଛି ଏହା ନିଶ୍ଚିତ ଭାବରେ ଗର୍ବର ବିଷୟ ।

Leave a Reply

Your email address will not be published. Required fields are marked *