

ଧରାକୋଟ,୧୪.୧୧, ହୃଦନନ୍ଦ ଜେନା//
ସ୍ଵତନ୍ତ୍ରଉତ୍କଳ ପ୍ରଦେଶ ଗଠନ ଠାରୁ ଆରମ୍ଭ କରି ଅଧୁନା ଓଡ଼ିଶାର ରାଜନୀତି କୁ ତର୍ଜମା କଲେ ସବୁଠି ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡର ରାଜପରିବାରର ମାନଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଖିଡିସିଙ୍ଗି ରାଜ୍ୟର ପ୍ରଥମ ରାଜା ଶୋଭା ଚନ୍ଦ୍ର ସିଂହ 1477 ମସିହାରେ ନିଜ ରାଜ୍ୟ ପ୍ରତିଷ୍ଠା କରିଥିବା ବେଳେ ଏହା ଅଧିନରେ ସୃଷ୍ଟି ହୋଇଥିବା ଧରାକୋଟ ରାଜ୍ୟର ପ୍ରଥମ ରାଜା ଭାବେ ହାଡୁ ସିଂହ 1540 ମସିହାରେ ସିଂହାସନ ଆରୋହଣ କରିଥିଲେ। ତାଙ୍କ ପରେ 23 ଜଣ ରାଜା ଧରାକୋଟ ରାଜ ସିଂହାସନ ଆରୋହଣ କରିଥିବା 28/5/2010 ମସିହାରେ ତତ୍କାଳୀନ ରାଜା କିଶୋର ଚନ୍ଦ୍ର ସିଂହଦେଓ ଙ୍କ ମୃତ୍ୟୁ ପରେ ତାଙ୍କର ଜ୍ୟେଷ୍ଠା କନ୍ୟା ସୁଲକ୍ଷଣା ଗୀତାଞ୍ଜଳି ମାତ୍ର 14 ବର୍ଷ ବୟସରେ 8/6/2010 ମସିହାରେ ଧରାକୋଟ ରାଜ୍ୟର ରାଜା ପଦରେ ଅଭିଷିକ୍ତ ହୋଇଥିଲେ । 31 ହଜାର ଛଅ ଶହ ଏକା ନବେ ହେକ୍ଟର ପରିମିତ ଅଞ୍ଚଳ,14 କୋଷ ଓ 188 ରାଜସ୍ୱ ଗ୍ରାମକୁ ନେଇ ଗଠିତ ଧରାକୋଟ ରାଜ୍ୟର ପ୍ରଥମ ମହିଳା ରାଜା ହେଲେ ସୁଲକ୍ଷଣା ଗୀତାଞ୍ଜଳି । ରାଜା କିଶୋର ଚନ୍ଦ୍ର ସିଂହଦେଓ ଓ ରାଣୀ ନନ୍ଦିନୀ ଦେବୀଙ୍କ ଜ୍ୟେଷ୍ଠା କନ୍ୟା ସୁଲକ୍ଷଣା ଗୀତାଞ୍ଜଳୀ 20/1/1996 ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଛତିସଗଡ ର ରାୟପୁର ରେ ଥିବା ରାଜ କୁମାର କଲେଜ ରେ ସେ ପ୍ରଥମ ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିବା ପରେ ଭୁବନେଶ୍ବର କିଟ ରେ ଆଇନ ପାଠ ପଢା ସମ୍ପନ୍ନ କରିଥିଲେ । ରାୟପୁର ରାଜ କୁମାର କଲେଜ ରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପିତା କିଶୋର ଚନ୍ଦ୍ର ସିଂହଦେଓ ଙ୍କ ମୃତ୍ୟୁ ପରେ ପ୍ରଜା ମାନଙ୍କ ଅନୁରୋଧ ରକ୍ଷା କରି ମାତ୍ର 14 ବର୍ଷରେ ଧରାକୋଟ ରାଜ୍ୟର ଓ ଓଡ଼ିଶାର ସର୍ବ କନିଷ୍ଠ ରାଜା ର ମାନ୍ୟତା ପାଇଥିଲେ । ଏହା ପରେ ଜଣେ ସଫଳ ପ୍ରଜାନୁରାଗି ରାଜା ଭାବରେ ନିଜକୁ ପ୍ରତିଷ୍ଠିତ କରି ରଥଯାତ୍ରା,ମନ୍ଦିର ପ୍ରତିଷ୍ଠା,ଯଜ୍ଞ ପୂର୍ଣ୍ଣାହୁତି ଭଳି ଦେଵକାର୍ଯ୍ୟ କୁ ସୂଚାରୁ ରୁପେ ସମ୍ପନ୍ନ କରି ପ୍ରଶଂସାର ପାତ୍ର ହୋଇପାରିଥିଲେ ।
ସଂପ୍ରତି ସେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀମୟ ମହାପାତ୍ର ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ପିଉସା ଛତିଶଗଡ ଭାଟଗାଁଓ ରାଜା ପୁଷ୍ପେନ୍ଦ୍ର ପ୍ରତାପ ଚୌହାନ ଓ ପିଉସୀ ରାଣୀ ସାଇ ଦର୍ଶନା ଦେବୀ କର୍ତ୍ତା ଭାବରେ କନ୍ୟାଦାନ କରିଥିଲେ । ସମ୍ପୂର୍ଣ ରାଜକୀୟ ରିତି ନିତୀ ପ୍ରକାରେ ଏହି ବାହାଘର ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ବିବାହ ଉତ୍ସବରେ ରାଜମାତା ନନ୍ଦିନୀ ଦେବୀ, ସାନ ଭଉଣୀ ଶାନ୍ତି ପ୍ରିୟା ଗୀତାଞ୍ଜଳି ଙ୍କ ସମେତ ଦେଶର ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜ ପରିବାରର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ। ସୁଲକ୍ଷଣା ଙ୍କ ଜେଜେ ବାପା ଅନନ୍ତ ନାରାୟଣ ସିଂହ ଦେଓ,ଜେଜେ ମା ଶାନ୍ତି ଦେବୀ, ପିତା କିଶୋର ଚନ୍ଦ୍ର ସିଂହଦେଓ, ମାତା ନନ୍ଦିନୀ ଦେବୀ ବିଭିନ୍ନ ସମୟରେ ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ପ୍ରତିନିଧିତ୍ଵ କରି ରାଜ୍ୟ ରାଜନୀତି କ୍ଷେତ୍ରରେ ଧରାକୋଟ ପାଇଁ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ସୁଲକ୍ଷଣା ନିଜେ ବର୍ତ୍ତମାନ ଧରାକୋଟ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ରହିଛନ୍ତି । ସଂପ୍ରତି ଓଡ଼ିଶାର ଯାଜପୁର ଜିଲ୍ଲାର ଗଡ ମଧୁପୁର ରେ ଅପର୍ଣ୍ଣା ଧିର ସିଂହ, ପାରଳାଖେମୁଣ୍ଡି ରେ କଲ୍ୟାଣୀ ଦେବୀ ଓ ଧରାକୋଟ ରେ ସୁଲକ୍ଷଣା ଗୀତାଞ୍ଜଳି ଭଳି ମହିଳା ରାଜା ଭାବରେ ନିଜକୁ ସଫଳତାର ସହ ପ୍ରତିଷ୍ଠିତ କରିପାରିଛନ୍ତି । ଶୁକ୍ରବାର ଦିନ ଧରାକୋଟ ରାଜବାଟି ପରିସରରେ ନିଜ ରାଜ୍ୟର ସର୍ବକନିଷ୍ଠ ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଙ୍କୁ ଲୋକ ମାନଙ୍କ ତରଫରୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା । ଏହି ଅବସରରେ ରାଜ ପରିବାର ତରଫରୁ ପ୍ରାୟ ପନ୍ଦର ହଜାର ଲୋକଙ୍କୁ ଭୋଜି ଭାତ ରେ ଆପ୍ୟାୟିତ କରାଯାଇଥିଲା ।

Leave a Reply