ଲଘୁଚାପଜନିତ ବର୍ଷାକୁ ନେଇ ବାଘଲଟିର ସତର୍କ ସୂଚନା,୧୦୪ ମିଟର ଛୁଇଁଲେ ଛଡ଼ାଯିବ ବଳକା ଜଳ..

ପାତ୍ରପୁର, ରବିନ୍ଦ୍ର କୁମାର ମିଶ୍ର,ଚେତନା ମିଡ଼ିଆ : ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ନେଇ ପାତ୍ରପୁର ବ୍ଲକ ନୂଆଗଡ଼ସ୍ଥିତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପକ୍ଷରୁ ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ବାଘଲଟି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

ବାଘଲଟି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୦୬ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୯୭.୯୮ ମିଟର ରହିଛି। ଜଳସ୍ତର ୧୦୪ ମିଟରରେ ପହଞ୍ଚିଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ବଳକା ଜଳ ତଳମୁଣ୍ଡକୁ ଛଡ଼ାଯିବ ବୋଲି ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅଧିକ ବର୍ଷାର ପୂର୍ବାନୁମାନ ଥିବାରୁ ବାହୁଦା ନଦୀକୂଳିଆ ଲୋକଙ୍କୁ ନଦୀଗର୍ଭକୁ ନଯିବା ଏବଂ ଗୃହପାଳିତ ପଶୁଙ୍କୁ ନଦୀ ନିକଟକୁ ନଛାଡ଼ିବାକୁ ବାଘଲଟି ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସଚେତନ କରାଯାଇଛି। ଏଥିସହ ଜନପ୍ରତିନିଧି ଓ ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି।

ବାଘଲଟି ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ଓ ବର୍ଷା ପରିସ୍ଥିତି ଉପରେ ନିରନ୍ତର ନଜର ରହିଛି। ଜନସାଧାରଣଙ୍କୁ ଜାରି କରାଯାଇଥିବା ସତର୍କତା ଓ ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଅବମାନନା କରି କୌଣସି ଧନଜୀବନ କ୍ଷତି ଘଟିଲେ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *