ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ, ଫେରିଲେ ଶବ ହୋଇ! ମାଲପେ ବନ୍ଦରରେ ଡଙ୍ଗା ଦୁର୍ଘଟଣା; ୪ ଦିନ ପରେ ଆଖିବୁଜିଲେ ରାମେୟାପାଟଣାର ପୁରସ୍ତମ
ଚିକିଟି, ୩୧ା୮, ଚେତନା ମିଡ଼ିଆ : ପରିବାର ପେଟ ପୋଷିବା ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେନି ଚିକିଟି ବ୍ଲକ ସମୁଦ୍ର ଉପକୂଳ ରାମେୟାପାଟଣା ଗ୍ରାମର ଏଲ୍. ପୁରସ୍ତମ (୩୭)। କର୍ଣ୍ଣାଟକର ଉଡୁପି ଜିଲା ମାଲପେ ବନ୍ଦରରେ ଅଗଷ୍ଟ ୨୪ ତାରିଖରେ ଘଟିଥିବା ଡଙ୍ଗା ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୨୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ପହଞ୍ଚିବା ପରେ ରାମେୟାପାଟଣା ସମେତ ସମଗ୍ର ଉପକୂଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁସାରେ, ପୁରସ୍ତମ ‘ସୌଜନ୍ୟ ସାଗର’ ନାମକ ଡଙ୍ଗାରେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ମାଛ ଧରୁଥିବା ସମୟରେ ଅସାବଧାନତାବଶତଃ ଜାଲ ସହ ସେ ସମୁଦ୍ର ଜଳରେ ପଡ଼ିଯାଇଥିଲେ। ସହଯୋଗୀ ମତ୍ସ୍ୟଜୀବୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି କୂଳକୁ ଆଣି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ସେ ଅଚେତନ ହୋଇପଡ଼ିଥିଲେ। ପରବର୍ତ୍ତୀ ଚିକିତ୍ସା ସତ୍ତ୍ୱେ ଅଗଷ୍ଟ ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁରସ୍ତମଙ୍କ ମୃତ୍ୟୁରେ ଏବେ ଅସହାୟ ହୋଇପଡ଼ିଛି ତାଙ୍କ ପରିବାର। ତାଙ୍କ ପଛରେ ସ୍ତ୍ରୀଙ୍କ ସମେତ ୧୧ ବର୍ଷରୁ କମ୍ ବୟସର ତିନି ଝିଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରର ଭରସା ଥିବା ପୁରସ୍ତମଙ୍କ ଅକାଳ ବିୟୋଗ ପରେ ତିନି ନାବାଳିକା ଝିଅଙ୍କ ଭବିଷ୍ୟତକୁ ନେଇ ପରିବାର ଚିନ୍ତାରେ ପଡ଼ିଛି। ସମୁଦ୍ରରେ ମାଛ ଧରି ଯାହା ରୋଜଗାର କରୁଥିଲେ, ସେଥିରେ ହିଁ ପରିବାରର ଜୀବିକା ଚାଲୁଥିଲା।
ଏହି ଦୁଃଖଦ ଘଟଣା ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ସହ ମତ୍ସ୍ୟଜୀବୀ ପରିବାର ପାଇଁ ଉପଲବ୍ଧ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଜଣେ ରୋଜଗାରିଆଙ୍କୁ ହରାଇ ତିନି ନାବାଳିକା ଝିଅ ସହ ପରିବାର ଯେପରି ଆର୍ଥିକ ସଙ୍କଟରେ ନପଡ଼େ, ସେଥିପାଇଁ ତୁରନ୍ତ ସରକାରୀ ହସ୍ତକ୍ଷେପ ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି।

