ବିଶ୍ୱାସ ଓ ପରମ୍ପରାର ବାର୍ତ୍ତାବହ ଲିଆଖାଇ ମହାପ୍ରଭୁ

ଚିକିଟି, ଅରୁଣ କୁମାର ପଣ୍ଡା, ଚେତନା ମିଡ଼ିଆ : ବ୍ରାହ୍ମଣ ଓ ଦେବଦେବୀଙ୍କ ପ୍ରତି ହିନ୍ଦୁ ସମାଜରେ ଅଗାଧ ବିଶ୍ୱାସ ଓ ଶ୍ରଦ୍ଧା ରହିଛି। ଦୁଃଖ, ଦୁର୍ଦ୍ଦିନ, ଦୈବୀ ଦୁର୍ବିପାକ ଓ ଆପଦବିପଦ ସମୟରେ ମଣିଷର ମାନସିକ ସ୍ଥିତି ବଦଳିଯାଏ। ସେତେବେଳେ ଅନ୍ତରରୁ ସ୍ୱତଃସ୍ଫୂର୍ତ୍ତ ଭାବେ ଧାର୍ମିକ ଚିନ୍ତନ ଓ ଭାବଧାରା ଉଦ୍‌ଭାସିତ ହୁଏ। ଏଭଳି ଗଭୀର ଧାର୍ମିକ ବିଶ୍ୱାସ ଓ ପରମ୍ପରାର ବାର୍ତ୍ତା ବହନ କରିଆସୁଛି ଚିକିଟି ଗଡ଼ର ଏକ ଅନନ୍ୟ ଭ୍ରାମ୍ୟମାଣ ପୂଜା ପରମ୍ପରା। ଏହା ହେଉଛି ଲିଆଖାଇ ମହାପ୍ରଭୁଙ୍କ ପୂଜା।

ଚିକିଟି ଗଡ଼ର ନୃସିଂହନାଥ ମହାପ୍ରଭୁଙ୍କ ଏହି ଭ୍ରାମ୍ୟମାଣ ପୂଜାକୁ ଅଞ୍ଚଳବାସୀ ଶ୍ରଦ୍ଧାର ସହ ‘ଲିଆଖାଇ ମହାପ୍ରଭୁଙ୍କ ପୂଜା’ ବୋଲି କହିଥାନ୍ତି। ଏହି ପରମ୍ପରାକୁ ନେଇ ଅନେକ ଲୋକକଥା, ଜନଶ୍ରୁତି ଓ କିମ୍ବଦନ୍ତୀ ପ୍ରଚଳିତ ରହିଛି। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚିକିଟିବାସୀଙ୍କ ଧାର୍ମିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି।

ଲୋକକଥା ଅନୁସାରେ, ଆଜକୁ ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଚିକିଟି ଗଡ଼ରେ ଭୟଙ୍କର ହଇଜା ମହାମାରୀ ବ୍ୟାପିଥିଲା। ମହାମାରୀରେ ଶହ ଶହ ଲୋକଙ୍କ ପ୍ରାଣହାନି ଘଟିବା ସହ ସମଗ୍ର ଚିକିଟି ଜମିଦାରୀ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ରୋଗର ପ୍ରକୋପରେ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ। ସେହି ସମୟରେ କିଛି ସାଧୁସନ୍ଥଙ୍କ ପରାମର୍ଶରେ ମହାମାରୀରୁ ମୁକ୍ତି ପାଇଁ ଧାର୍ମିକ ଉପାୟ ଅବଲମ୍ବନ କରିବାକୁ ଚିକିଟି ରାଜାଙ୍କୁ ପରାମର୍ଶ ଦିଆଯାଇଥିବା ଲୋକକଥାରୁ ଜଣାପଡ଼େ।

ସଦାବିହାରୀ ମଠରେ ବିଜେ ଶ୍ରୀ ନୃସିଂହନାଥଙ୍କ ଚଳନ୍ତି ବିଗ୍ରହ ଶାଳଗ୍ରାମ ପ୍ରତିମାଙ୍କୁ ସାହି ସାହି ବୁଲାଇ ପୂଜାର୍ଚ୍ଚନା କରାଇଲେ ମହାମାରୀର ପ୍ରକୋପ ଥମିବ ବୋଲି ସାଧୁସନ୍ଥମାନେ ରାଜାଙ୍କୁ କହିଥିଲେ। ଧର୍ମ ଓ ଦେବଦେବୀଙ୍କ ପ୍ରତି ଅଗାଧ ବିଶ୍ୱାସ ରଖୁଥିବା ଚିକିଟି ଜମିଦାରୀର ରାଜା ଏହି ପରାମର୍ଶକୁ ଗ୍ରହଣ କରିଥିଲେ।

ପରେ ସଦାବିହାରୀ ମଠରୁ ନୃସିଂହନାଥଙ୍କ ଶାଳଗ୍ରାମ ପ୍ରତିମାଙ୍କୁ ଏକ ବିମାନରେ ବିଜେ କରାଇ ଚିକିଟି ଗଡ଼ର ଘରକୁ ଘର ବୁଲାଯାଇଥିଲା। ପ୍ରତ୍ୟେକ ଘରର ଦୁଆର ମୁହଁରେ ମହାପ୍ରଭୁଙ୍କୁ ବିଜେ କରାଇ ଭକ୍ତମାନେ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରିବା ସହ ଲିଆ ବା ଖଇ ଭୋଗ ଅର୍ପଣ କରିଥିଲେ। ନୃସିଂହନାଥଙ୍କୁ ଲିଆ ବା ଖଇ ଭୋଗ ଲାଗି କରାଯାଉଥିବାରୁ କାଳକ୍ରମେ ସେ ‘ଲିଆଖାଇ ମହାପ୍ରଭୁ’ ଭାବେ ପରିଚିତ ହୋଇଥିବା ବିଶ୍ୱାସ କରାଯାଏ।

ଲୋକବିଶ୍ୱାସ ଅନୁସାରେ, ଲିଆଖାଇ ମହାପ୍ରଭୁ ଘରକୁ ଘର ବୁଲି ଭକ୍ତମାନଙ୍କ ଗୁହାରି ଶୁଣିଥିଲେ। ତାଙ୍କ ଆଶୀର୍ବାଦରେ ଚିକିଟି ଅଞ୍ଚଳରୁ ହଇଜା ମହାମାରୀର ପ୍ରକୋପ ଧୀରେ ଧୀରେ ଉଭେଇ ଯାଇଥିଲା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି। ସେହି ଘଟଣାକୁ ସ୍ମରଣ କରି ଆଜି ମଧ୍ୟ ଚିକିଟିରେ ଲିଆଖାଇ ମହାପ୍ରଭୁଙ୍କ ଭ୍ରାମ୍ୟମାଣ ପୂଜା ପରମ୍ପରା ଅବ୍ୟାହତ ରହିଛି।

ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ମନ୍ଦିରରୁ ଲିଆଖାଇ ମହାପ୍ରଭୁ ବାହାରିଥାନ୍ତି। ଏହାପରେ ଦୀର୍ଘ ୨୧ ଦିନ ଧରି ଚିକିଟିର ବିଭିନ୍ନ ସାହି ଓ ଅଞ୍ଚଳ ବୁଲି ଭକ୍ତଙ୍କଠାରୁ ପୂଜା ଗ୍ରହଣ କରିଥାନ୍ତି। ମହାପ୍ରଭୁଙ୍କ ଆଗମନକୁ ନେଇ ପ୍ରତ୍ୟେକ ପରିବାରରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୁଏ। ଘର ସମ୍ମୁଖରେ ପୂଜାର୍ଚ୍ଚନା କରାଯିବା ସହ ଭକ୍ତମାନେ ନିଜ ନିଜ ସାମର୍ଥ୍ୟ ଅନୁସାରେ ଭୋଗ ଅର୍ପଣ କରିଥାନ୍ତି।

ଚଳିତ ବର୍ଷ ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀ ନୃସିଂହନାଥଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇ ଭ୍ରାମ୍ୟମାଣ ପୂଜାର ଶୁଭାରମ୍ଭ କରାଯାଇଛି। ମହାପ୍ରଭୁ ସାହି ସାହି ବୁଲି ଭକ୍ତଙ୍କଠାରୁ ପୂଜା ଗ୍ରହଣ କରୁଛନ୍ତି। ଏହି ପରମ୍ପରା ୨୧ ଦିନ ପର୍ଯ୍ୟନ୍ତ ଚାଲିବା ପରେ ଆଜି ସମ୍ପୂର୍ଣ୍ଣ ହୋଇଛି ।

ଲିଆଖାଇ ମହାପ୍ରଭୁଙ୍କ ଏହି ଭ୍ରାମ୍ୟମାଣ ପୂଜା କେବଳ ଏକ ଧାର୍ମିକ ଆଚାର ନୁହେଁ, ବରଂ ଏହା ଚିକିଟିର ଇତିହାସ, ଲୋକବିଶ୍ୱାସ, ପରମ୍ପରା ଓ ସାମାଜିକ ଏକତାର ଏକ ଜୀବନ୍ତ ପ୍ରତୀକ। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ଆଜି ବି ଲୋକମାନଙ୍କ ମନରେ ଭକ୍ତି, ଆଶା ଓ ଆସ୍ଥାର ଭାବନା ସୃଷ୍ଟି କରୁଛି।

ଲୋକଙ୍କ ବିଶ୍ୱାସ ଲିଆଖାଇ ମହାପ୍ରଭୁଙ୍କ ଆଶୀର୍ବାଦରେ ଅଞ୍ଚଳରୁ ରୋଗ, ଦୁର୍ବିପାକ ଓ ବିପଦ ଦୂର ହୁଏ। ବିଶେଷକରି ମହାମାରୀ ସମୟରେ ମହାପ୍ରଭୁଙ୍କ ଭ୍ରାମ୍ୟମାଣ ପୂଜା ଲୋକମନରେ ଆଶା ଓ ଆଧ୍ୟାତ୍ମିକ ଶକ୍ତି ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ଲିଆଖାଇ ମହାପ୍ରଭୁଙ୍କ ଏହି ପରମ୍ପରାକୁ ନେଇ ଚିକିଟିବାସୀଙ୍କ ମନରେ ଗଭୀର ଆସ୍ଥା ରହିଛି।

ପୁରୁଣା ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ି ରଖିବାରେ ମଧ୍ୟ ଏହି ପୂଜାର ଗୁରୁତ୍ୱ ରହିଛି। ଆଧୁନିକତାର ଦ୍ରୁତ ଗତି ମଧ୍ୟରେ ମଧ୍ୟ ଚିକିଟିର ଏହି ଅନନ୍ୟ ପରମ୍ପରା ଲୋକଙ୍କୁ ନିଜ ମାଟି, ଇତିହାସ ଓ ଧାର୍ମିକ ଐତିହ୍ୟ ସହ ଯୋଡ଼ି ରଖିଛି। ଶ୍ରାବଣ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଏହି ୨୧ ଦିନିଆ ଯାତ୍ରା ଚିକିଟିର ଧାର୍ମିକ ଓ ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିଆସୁଛି।

ଲିଆଖାଇ ମହାପ୍ରଭୁଙ୍କ ଭ୍ରାମ୍ୟମାଣ ପୂଜା ତେଣୁ ଚିକିଟିବାସୀଙ୍କ ପାଇଁ ଏହି ପୂଜା ଶତାବ୍ଦୀର ପୁରୁଣା ବିଶ୍ୱାସର ସ୍ମୃତି, ପରମ୍ପରାର ପ୍ରତୀକ ଏବଂ ଭକ୍ତିର ଏକ ଜୀବନ୍ତ ଧାରା। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଏମିତି ହିଁ ଜୀବନ୍ତ ରହୁ ଓ ଚିକିଟିର ଧାର୍ମିକ ଐତିହ୍ୟର ବାର୍ତ୍ତା ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚୁ,ଏହା ଅଞ୍ଚଳବାସୀଙ୍କ ବିଶ୍ୱାସ ।

Leave a Reply

Your email address will not be published. Required fields are marked *